ପୁରୀ: ପୁରୀ ପାଇଁ ବିପଦ ବଢାଉଛି ମଙ୍ଗଳା ନଦୀ । ଦୀର୍ଘଦିନ ଧରି ମୁହାଣ ଖୋଲା ନହେବା ଦ୍ବାରା ଏବେ ବନ୍ୟା ପାଣି ସହର ମୁହାଁ , ଯାହାକୁ ନେଇ ଚିନ୍ତାରେ ପୁରୀ ସହର ବାସୀ । ଗତ ଏକ ବର୍ଷ ହେବ ପୁରୀର ମଙ୍ଗଳା ନଦୀ ମୁହାଣ ଖନନ ହୋଇନଥିବାରୁ ନଦୀର ଜଳ ଏବେ ସହରମୁହାଁ । ପୋତି ହୋଇଯାଇଛି ମୁହାଣ ।
ଆଜି ପୁଣି ସାଂକେତିକ ଭାବେ ଖୋଲିଛି ହୀରାକୁଦ ଗେଟ, ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଗେଟ ଖୋଲିବ ଯାହା ମଙ୍ଗଳା ନଦୀର ଜଳ ଫୁଲିବା ନିଶ୍ଚିତ । ଗତ 2 ବର୍ଷ ତଳେ ମଙ୍ଗଳା ନଦୀ ମୁହାଣରେ ଆରମ୍ଭ ହୋଇଥିଲା ଖନନ ପ୍ରକ୍ରିୟା । 2016 ସେପ୍ଟେମ୍ବର 14ରେ ଶେଷ ହୋଇଥିବା ମୁହାଣ ଖନନରେ 190 ଫୁଟ ଲମ୍ବ 80ରୁ 90 ଫୁଟ ଚଉଡାରେ ପ୍ରାୟ 5 ମିଟର ଗଭୀର ଖୋଳାଯାଇଥିଲା । ସେତେବେଳେ ନିଷ୍ପତି ହୋଇଥିଲା ନିୟମିତ ବ୍ୟବଧାନରେ ମୁହାଣ ଖୋଳାଯିବ ।
ବର୍ତ୍ତମାନ ଏହି ମଙ୍ଗଳା ମୁହାଣର ସ୍ଥାୟୀ ସମାଧାନ ପାଇଁ ପ୍ରାୟ 8କୋଟି 83 ଲକ୍ଷ ଟଙ୍କା ଅଟକଳ କରିଛି ‘ସିଜେଡଏମପି’ ଲଗାତାର ବର୍ଷା ଯୋଗୁଁ ମଙ୍ଗଳା ନଦୀ ଫୁଲି ଥିବା ବେଳେ ସିପସରୁବାଲି ଅଞ୍ଚଳରେ ମୁହାଣ ବନ୍ଦ ରହିଛି । ଆଉ ଷ୍ଟର୍ଲିଂ ହୋଟେଲ ପଛ ଦେଇ ସହରମୁହାଁ ହୋଇଛି ଏବେ ନଦୀ ଜଳ । ତେବେ ପ୍ରତିବର୍ଷ ମୁହାଣ ଖନନ ପାଇଁ କୋଟିକୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ ।
ଅନ୍ୟପଟେ ଖୁବଶୀଘ୍ର ଖନନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କହିଛନ୍ତି ପୁରୀ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ