ପୁରୀ : ଆସନ୍ତାକାଲି (ଗୁରୁବାର) ଠାରୁ ଠାରୁ ଆରମ୍ଭ ହେବାକୁ ଯାଉଛି ମହାକାର୍ତ୍ତିକ ବ୍ରତ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ମାସ ନୀତି ଆରମ୍ଭ ହୋଇଥିଲେ ମଧ୍ୟ ଆସନ୍ତାକାଲି ଠାରୁ ହବିଷ୍ୟାଳୀମାନେ ସଙ୍କଳ୍ପ କରି ରାଧାଦାମୋଦର ପୂଜା ଓ କାର୍ତ୍ତିକ ବ୍ରତ ଆରମ୍ଭ କରିବେ।
ତେବେ କୋଭିଡ ମହାମାରୀ ଯୋଗୁଁ ଗତ ଦୁଇବର୍ଷ ହେବ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ ଜମୁନଥିବା ବେଳେ ଶ୍ରୀମନ୍ଦିର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ହବିଷ୍ୟାଳୀମାନେ ପୁରୀ ନଆସି ଘରେ ରହି ବ୍ରତ ପାଳନ କରିବା ପାଇଁ ଅନୁରୋଧ କରାଯାଇଛି। ମହାଧାର୍ମିକ ମାସ କାର୍ତ୍ତିକରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଅହେତୁକ ଭିଡ ଜମିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତେବେ ହବିଷ୍ୟାଳୀ ଓ ଭକ୍ତମାନେ ସୁରୁଖୁରୁରେ କିଭଳି ମହାପ୍ରସାଦ ପାଇପାରିବେ ସେନେଇ ଖୁବ ଶୀଘ୍ର ସେବାୟତଙ୍କ ସହ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ।
ଏପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପ୍ରତ୍ୟେକ ଦିନ ରାଧାଦାମୋଦର ବ୍ରତ ସହ ବାଳଭୋଗ ନୀତି ଆରମ୍ଭ ହୋଇଛି। ଚଳିତ ବର୍ଷ କୋଭିଡ ସଂକ୍ରମଣର ତୃତୀୟ ଲହର ଯୋଗୁଁ ହବିଷ୍ୟାଳୀଙ୍କ ବିନା ଶ୍ରୀକ୍ଷେତ୍ର ଖାଁ ଖାଁ ଥିବାବେଳେ ସେପଟେ ନିଜସ୍ବ ବ୍ୟବସ୍ଥା କରି ଯେଉଁ ବ୍ରତ ଧାରୀମାନେ କାର୍ତ୍ତିକ ବ୍ରତ କରୁଛନ୍ତି ସେମାନେ କିଭଳି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ପାଇପାରିବେ ସେ ନେଇ ପ୍ରଶାସନ ବିଶେଷ ଗୁରୁତ୍ବ ଦେଇଛି।
ସେହିପରି ରବିବାରରେ ସାଧାରଣ ଦର୍ଶନ ବନ୍ଦ ରଖାଯାଇ ଶ୍ରୀମନ୍ଦିର ବିଶୋଧନ କରାଯାଉଥିବାବେଳେ ଦୀପାବଳୀ, ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣମୀରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ତେବେ କାର୍ତ୍ତିକ ମାସ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିର ଓ ଭକ୍ତ ଙ୍କ ସୁରକ୍ଷା ପାଇଁ 8 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଭିଡକୁ ଦୃଷ୍ଟିରେ ରଖାଯାଇ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଏସପି କହିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ