ପୁରୀ: ବିନା ଶ୍ରଦ୍ଧାଳୁରେ ହେଲା ମା' ମଙ୍ଗଳାଙ୍କ ଝାମୁଯାତ୍ରା । କୋଭିଡ କଟକଣା ମଧ୍ୟରେ ମା' ମଙ୍ଗଳାଙ୍କ ଝାମୁଯାତ୍ରା ସମ୍ପନ୍ନ ହୋଇଛି । ତେବେ ମାଙ୍କ ଏହି ପୂଜାରେ କେବଳ ସେବାୟତ ସାମିଲ ହୋଇଛନ୍ତି ।
ପୁରୀରେ କୋରୋନା କାରଣରୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ମନ୍ଦିର, ମସଜିଦ୍, ଗୀର୍ଜା, ଗୁରୁଦ୍ବାର, ମଠ, ଗୁରୁକୂଳ, ଆଶ୍ରମ ଆଦିରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଭକ୍ତ, ପର୍ଯ୍ୟଟକ ତଥା ସାଧାରଣ ଜନତାଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ମାତ୍ର ପୂଜା ଓ ନିତିକାନ୍ତି ପୂର୍ବପରି ଚାଲୁ ରହିବ ।
ଏଥିସହ ଜିଲ୍ଲାରେ ଥିବା ସମସ୍ତ ପାର୍କ, ଆମୋଦ ପ୍ରମୋଦ ଉଦ୍ୟାନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ କାକଟପୁର ମା' ମଙ୍ଗଳା ମନ୍ଦିରରେ ମଧ୍ୟ କଟକଣା କରାଯାଇଛି । ଆଜି(ମଙ୍ଗଳବାର) ମା'ଙ୍କ ଝାମୁଯାତ୍ରାର ଶେଷ ବାରରେ ଥିବାରୁ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବିନା ଭକ୍ତରେ ଯାତ୍ରା ସମ୍ପନ୍ନ ହୋଇଛି । କେବଳ ସେବାୟତଙ୍କୁ ନେଇ ସାମାଜିକ ଦୂରତା ନିୟଂ, ମାସ୍କ ପରିଧାନ ଏବଂ କୋଭିଡ କଟକଣାକୁ ମାନି ମା'ଙ୍କ ପୂଜାର୍ଚ୍ଚନା କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ