ପୁରୀ: ଆଜି(ବୁଧବାର) ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ସହ ବନକଲାଗି ନୀତି ଅନୁଷ୍ଠିତ ହୋଇଛି । ଦ୍ବିତୀୟ ଭୋଗ ମଣ୍ତପ ପରେ ଦତ୍ତ ମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ଏହି ନୀତି କରିଛନ୍ତି । ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଥିବାବେଳେ ଏହା ଏକ ଗୁପ୍ତ ସେବା ହୋଇଥିବାରୁ ପ୍ରାୟ ୪ ଘଣ୍ଟା ଧରି ଏହି ନୀତି ଚାଲିଥିଲା ।
ଦୀର୍ଘ ୨ ମାସର ବ୍ୟବଧାନ ପରେ ବୁଧବାର ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ବନକଲାଗି ନୀତି କରିଛନ୍ତି । ପ୍ରଥା ଓ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ପ୍ରତ୍ୟେକ ବୁଧବାର କିମ୍ବା ଗୁରୁବାରରେ ବନକଲାଗି ନୀତି ପାଳନ ହେବାର ବିଧି ରହିଛି ।
ଶ୍ରୀମନ୍ଦିର ନୀତି ନୀର୍ଘଣ୍ଟ ଅନୁଯାୟୀ, ଅପରାହ୍ନ ୩.୩୦ ରୁ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର ନୀତି ଆରମ୍ଭ କରାଯାଇଥିଲା । ପ୍ରାୟ ୪ ଘଣ୍ଟା ଧରି ଏହି ବନକଲାଗି ନୀତି କରାଯାଉ ଥିବାବେଳେ ମହାପ୍ରଭୁଙ୍କ ଶ୍ରୀମୁଖକୁ ବିଭିନ୍ନ ପ୍ରାକୃତିକ ରଙ୍ଗରେ ସଜ୍ଜିତ କରାଯାଇଛି । ତେବେ ବନକଲାଗି ପାଇଁ ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ଦତ୍ତ ମହାପାତ୍ର ସେବାୟତମାନେ ଏହି ନୀତି ସଂମ୍ପନ୍ନ କରିଛନ୍ତି ।
ମହାପ୍ରଭୁଙ୍କର ଏହି ବନକଲାଗି ନୀତି ପାଇଁ ଦତ୍ତ ମହାପାତ୍ର ସେବାୟତମାନଙ୍କ ପ୍ରଥମେ ଶ୍ରୀବିଗ୍ରହମାନଙ୍କ ଅଧର ପୋଛା ପରେ ବନକଲାଗି ନୀତି କରିଥାନ୍ତି । ଏଥିପାଇଁ ବେଶ୍ ନିଷ୍ଠାର ସହ ଦତ୍ତ ମହାପାତ୍ର ସେବାୟତମାନେ ବନକ ପ୍ରସ୍ତୁତ କରିଥାନ୍ତି । ବନକ ଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ବାରା ମହାପ୍ରଭୁଙ୍କ ମୁଖମଣ୍ତଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଇଥାଏ । ଶାରଦୀୟ ଦୁର୍ଗାଉତ୍ସବ ପାଇଁ ଦୁର୍ଗାମାଧବ ଉପାସନା ଚାଲିଥିବାରୁ ଦୀର୍ଘ ୨ ମାସ ଧରି ଚତୁର୍ଦ୍ଦାବିଗ୍ରହଙ୍କ ବନକଲାଗି ହୋଇପାରି ନଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ