ପୁରୀ: ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟରେ ଚାଲିଥିବା ଲକଡାଉନ କଟକଣା ସାମାନ୍ୟ କୋହଳ ହେବ । ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଏହି ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଗ୍ରାମାଞ୍ଚଳରେ କୃଷି କାର୍ଯ୍ୟ ସମେତ, ମତ୍ସ୍ୟ ବ୍ୟବସାୟ ଓ କାରବାର, ହର୍ଟିକଲଚର ଏବଂ ଘର ନିର୍ମାଣ କାର୍ଯ୍ୟରେ ନିୟମ କୋହଳ ହେବ । ଏଥିରେ ଶ୍ରମିକମାନେ ସାମାଜିକ ଦୂରତ୍ବ ରଖି ମାସ୍କ ପିନ୍ଧି କାର୍ଯ୍ୟ କରିପାରିବେ । ସେହିପରି ସହରାଞ୍ଚଳରେ ଲକଡାଉନ ଭଳି ପରିସ୍ଥିତି ଜାରି ରହିବ । କେଵଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ବଜ଼ାର ଯାଇପାରିବେ ।
ସାମାଜିକ ଦୂରତ୍ବ ସହ ମାସ୍କ ପିନ୍ଧିବା ଲୋକଙ୍କ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପୁରୀକୁ ପ୍ରବେଶ ପଥ ପୂର୍ଵ ଭଳି ସିଲ ରହିବ । ଅନ୍ୟପଟେ ପୁରୀ ଜିଲ୍ଲାର ପ୍ରଥମ କୋରୋନା ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି । ପ୍ରତିଦିନ 60ରୁ ଅଧିକ ସ୍ବାବ ଟେଷ୍ଟ ପାଇଁ ପଠାଯାଉଛି । ତେବେ ସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ନଜର ରଖିଛି । ସେହିପରି ପୁରୀ ଜିଲ୍ଲାବାସୀ ଲକଡାଉନକୁ ଯେଭଳି ସମର୍ଥନ ଦେଇଛନ୍ତି ତାକୁ ନେଇ ଜିଲ୍ଲାପାଳ ପୁରୀ ବାସିନ୍ଦାଙ୍କୁ ଧନ୍ୟବାଦ ଦେଇଛନ୍ତି । ସାମାଜିକ ଦୂରତ୍ବକୁ ବଜାୟ ରଖିବା ସହ ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା, ଅତି ଜରୁରୀ ନହେଲେ ଘରୁ ନବହାରି ବାକୁ ଜିଲ୍ଲାପାଳ ବଲବନ୍ତ ସିଂ ପରାମର୍ଶ ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ