ପୁରୀ: ପୁରୀ ଆସି କୌଣସି ହୋଟେଲକୁ ଖାଇବାକୁ ଯାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । କାହିଁକିନା ଜଗନ୍ନାଥଙ୍କ ଧାମ ପୁରୀରେ ପର୍ଯ୍ୟଟକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ହୋଟେଲ ବ୍ୟବସାୟୀ । ମନ ଇଚ୍ଛା ଗ୍ରାହକଙ୍କୁ ଖାଦ୍ୟ ପରସୁଛନ୍ତି । ଗ୍ରାହକଙ୍କୁ ପରସା ଯାଉଛି ଝିଟିପିଟି ପଡିଥିବା ବିରିୟାନୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୁରୀ ଚନ୍ଦନପୁର ଅଞ୍ଚଳରୁ ସାମ୍ନାକୁ ଆସିଛି ଏପରି ଘଟଣା । ଖାଦ୍ୟର ମାନ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯିବାକୁ ଭକ୍ତ ଓ ପର୍ଯ୍ୟଟକ ମହଲରେ ଦାବି ହୋଇଛି ।
ରାତି ପାହିଲେ ପ୍ରତିଦିନ ପୁରୀକୁ ହଜାର ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ । ଏଠାରେ ବୁଲିବା ସହ ହୋଟେଲ ଗୁଡିକରେ ଖାଦ୍ୟ ଖାଇଥାନ୍ତି । ଗତକାଲି (ଜୁଲାଇ 22) ଜଣେ ପର୍ଯ୍ୟଟକ ଚନ୍ଦନପୁର ଅଞ୍ଚଳରେ ଥିବା ମା’ ମଙ୍ଗଳା ନାମକ ଏକ ହୋଟେଲକୁ ଖାଇବାକୁ ଯାଇଥିଲେ । ଏହାପରେ ସେଠାରେ ଗ୍ରାହକ ଜଣଙ୍କୁ ଖାଇବାକୁ ଏକ ବିରିୟାନୀ ପ୍ଲେଟ ପରସା ଯାଇଥିଲା । କିନ୍ତୁ ଯେତେବେଳେ ଗ୍ରାହକ ଜଣଙ୍କୁ ବିରିୟାନୀ ଖାଇବା ଆରମ୍ଭ କରିଛନ୍ତି ସେତେ ବେଳେ ଖାଦ୍ୟରେ ଏକ ମଲା ଝିଟିପିଟି ପଡିଥିବା ସେ ଦେଖିବାକୁ ପାଇଥିଲେ । ଯାହାକୁ ନେଇ ଉକ୍ତ ଗ୍ରାହକ ଓ ହୋଟେଲ ବ୍ୟବସାୟୀଙ୍କ ମଧ୍ୟରେ ବଚସା ହୋଇଥଲା । ଖାଦ୍ୟକୁ କାହିଁକି ସୁରକ୍ଷିତ ଭାବେ ରଖାଯାଉନାହିଁ ବୋଲି ଗ୍ରାହକ ଦୋକାନୀଙ୍କୁ ପଚାରିବାରୁ ଦୋକାନୀ କଥାଟିକୁ ଅତି ହାଲୁକା ଭାବେ ନେଇ ଉତ୍ତର ଦେଇଥିଲେ । ଏହାକୁ ନେଇ ଉଭୟ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଝିଟିପିଟି ଭଳି ବିଷାକ୍ତ ଜୀବ ଖାଦ୍ୟରୁ ବାହାରିବା ନେଇ ଗ୍ରାହକ ଜଣଙ୍କ ଥାନାରେ ଅଭିଯୋଗ କରିବେ ବୋଲି କହିଥିଲେ । ଯଦି ବିଷକ୍ରିୟା ଯୋଗୁଁ କିଛି ହୁଏ ଦୋକାନୀ ଦାୟୀ ରହିବେ କି ବୋଲି ପ୍ରଶ୍ନ କରି ପ୍ରଶ୍ନ କରିଥିଲେ ଗ୍ରାହକ । କିନ୍ତୁ ଦୋକାନୀ ଗ୍ରାହକଙ୍କୁ ଦୁର୍ବ୍ୟବହାର କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ବିରିୟାନୀ ଦେବାରେ ହେଲା ବିଳମ୍ବ, ରେଷ୍ଟୁରାଣ୍ଟ ଷ୍ଟାଫ୍ଙ୍କୁ ନିସ୍ତୁକ ପିଟିଲେ ଗ୍ରାହକ
ଏଠି ପ୍ରଶ୍ନ ଉଠୁଛି ପୁରୀ ଭଳି ଏକ ପର୍ଯ୍ୟଟନ ସହରରେ ନିମ୍ନ ମାନର ଖାଦ୍ୟ ଗ୍ରାହକଙ୍କୁ ଦିଆଯାଉଥିବା ବେଳେ ଫୁଡ୍ ଇନ୍ସପେକ୍ଟର କଣ କରୁଛନ୍ତି । ପୁରୀ ସହର ଓ ଜାତୀୟ ରାଜପଥରେ ଶହ ଶହ ହୋଟେଲ ବ୍ୟବସାୟୀ ଲାଭ ଆଶାରେ ନିମ୍ନ ମାନର ଖାଦ୍ୟ ଲୋକଙ୍କୁ ଦେଉଛନ୍ତି । ଏହି ଖାଦ୍ୟ ଖାଇ ଯଦି କାହାର ଜୀବନ ହାନି ହୁଏ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠୁଛି । ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସହର ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଥିବା ହୋଟେଲ ଗୁଡ଼ିକୁ ନିୟମିତ ଚେକିଂ କରିବାକୁ ସାଧାରଣରେ ଦାବି ହେଉଛି ।
ଇଟିଭି ଭାରତ, ପୁରୀ