ପୁରୀ: ରାଜ୍ୟରେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହେବା ପରେ କୋହଳ ହୋଇଛି କୋଭିଡ କଟକଣା । ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଥିବା କଟକଣା ହଟିଛି । ତେବେ କୋଭିଡ ଗାଇଡ଼ ଲାଇନ ସହ ଆଜି ଖୋଲିଛି କୋଣାର୍କ ସୂର୍ଯ୍ୟ ମନ୍ଦିର । କୋରୋନା ଦ୍ୱିତୀୟ ଲହର ପାଇଁ ଏପ୍ରିଲ ୧୬ରୁ ଦୀର୍ଘ ଦିନ ଧରି ବନ୍ଦ ଥିଲା କୋଣାର୍କ ମନ୍ଦିର।
ତେବେ ରାଜ୍ୟ ସରକାର ଅନଲକ ପ୍ରକ୍ରିୟାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କେନ୍ଦ୍ର କୋଭିଡ ନିୟମ ଅନୁଯାୟୀ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି କୋଣାର୍କ ମନ୍ଦିର । ଦିନକୁ କେବଳ ୨ ହଜାର ପର୍ଯ୍ୟଟକ ପ୍ରବେଶ ପାଇଁ ଅନୁମତି ରହିଛି । ବାରକୋଡ଼ରେ ଟିକେଟ ବ୍ୟବସ୍ଥା, ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୂରତା ରକ୍ଷା କରାଯାଇ ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯାଇଛି ।
ସକାଳ ୬ଟାରୁ ଦିନ ୧ଟା ମଧ୍ୟରେ ୧୦୦୦ ଓ ଦିନ ୧ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ୧୦୦୦ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ପର୍ଯ୍ୟଟକ ମାନେ ସ୍ୱାଗତ କରିଥିବା ବେଳେ ବ୍ୟବସାୟୀ, ଫଟୋ ଗ୍ରାଫର, ଗାଇଡ଼ ଓ ହସ୍ତଶିଳ୍ପ ବ୍ୟବସାୟୀ ମାନଙ୍କୁ ଅନୁମତି ନଥିବାରୁ ସେମାନେ ନିରାଶ ହୋଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ