ବ୍ରହ୍ମଗିରି: ପିଲାଟେ ଜନ୍ମ ହେଲେ ବାପା-ମାଆ କାହିଁ କେତେ କଣ ସ୍ବପ୍ନ ଦେଖନ୍ତି । କିଛି କରୁନକରୁ ଶେଷ ବେଳକୁ କାନ୍ଧ ଦେବ ତ, ଏଇ ଟିକିକ ଆଶା ରଖିଥାନ୍ତି । ହେଲେ ବାପା-ମାଆଙ୍କ ଆଖି ଆଗରେ ଯେତେବେଳେ ଭେଣ୍ଡିଆ ପୁଅ ରୋଗଶଯ୍ୟାରେ ପଡେ ସେବେ ଦୁନିଆ ଅନ୍ଧକାରମୟ ଲାଗେ । ଏପରି ଅନ୍ଧକାର ମାଡିଯାଇଛି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଯାଆଁଳ ଗ୍ରାମର ବଂଶୀଧର ପ୍ରଧାନଙ୍କ ଘରେ । ଘରର ଏକମାତ୍ର ଭେଣ୍ଡିଆ ପୁଅ ଦୁଇ କିଡନୀ ହରାଇ ବିଛଣାରେ । ଆଉ ସାନ ଝିଅ ଜନ୍ମରୁ ଭିନ୍ନକ୍ଷମ । କିଡନୀ ପ୍ରତ୍ୟାରୋପଣ ପାଇଁ ବର୍ତ୍ତମାନ ଅର୍ଥ ହିଁ ସାଜିଛି ଏକମାତ୍ର ବାଧକ ।
ବ୍ରହ୍ମଗିରିର ବଂଶୀଧର ପ୍ରଧାନଙ୍କ ପୁଅ ବିବେକାନନ୍ଦ ପ୍ରଧାନ । ବିଜ୍ଞାନ ବିଭାଗରେ ଗ୍ରାଜୁଏସନ ପାଠ ପଢା ପରେ ଚେନ୍ନାଇ ଯାଇଥିଲେ କାମ କରିବାକୁ । ମାତ୍ର ସେଠାରେ ସର୍ବଦା ଜ୍ବର ଥଣ୍ଡା ଲାଗି ରହିବା ସାଙ୍ଗକୁ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ହେଉଥିଲା । ଡାକ୍ତରୀ ପରୀକ୍ଷା ପରେ ଦୁଇଟି ଯାକ କିଡନୀ ଫେଲ୍ ହୋଇଯାଇଥିବା ଜାଣିବାକୁ ପାଇଲେ । ବାପାଙ୍କ ପରାମର୍ଶ କ୍ରମେ ଭୁବନେଶ୍ବର ସମରେ ପୁନର୍ବାର ପରୀକ୍ଷା କରାଇଲେ ।
ସେଠାରେ ମଧ୍ୟ ସମାନ ପ୍ରତିକ୍ରିୟା ଦେଲେ ଡାକ୍ତର । ତୁରନ୍ତ କିଡନୀ ପ୍ରତ୍ୟାରୋପଣ କରିବାକୁ ପରାମର୍ଶ ଦେଲେ । ବିବେକାନନ୍ଦଙ୍କ ମାଆ କିଡନୀ ଦେବାକୁ ରାଜି ହୋଇଥିଲେ ମଧ୍ୟ ପ୍ରତ୍ୟାରୋପଣ ପାଇଁ ଅର୍ଥ ସାଜିଛି ବାଧକ । ପ୍ରତିଦିନ ମେଡିସିନ, ଡାଏଲିସିସ ଏବଂ ପରିବାର ଖର୍ଚ୍ଚ ମଧ୍ୟରେ ୧୫ ଲକ୍ଷ ଜୋଗାଡ କରିବା ବଂଶୀଧରଙ୍କ ପକ୍ଷେ ସହଜ ନୁହେଁ ।
ସେପଟେ ପଡୋଶୀ, ଗ୍ରାମବାସୀ ଓ ସାଙ୍ଗ ସାଥିମାନେ ଅର୍ଥ ସଂଗ୍ରହ କରି ସହାୟତାର ହାତ ବଢାଇଛନ୍ତି ଏବଂ ଓଡିଶାବାସୀ ଓ ପ୍ରଶାସନକୁ ସାହାଯ୍ୟ ନିବେଦନ ମଧ୍ୟ କରିଛନ୍ତି । BDO ଖବର ପାଇ ସହାୟତା ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ହସି, ଖେଳି, ବୁଲିବା ବୟସରେ ବିବେକାନନ୍ଦଙ୍କ ଜୀବନରେ ଦୁଃଖ ଭରିଦେଇଛି ରୋଗ । ସରକାର କିମ୍ବା ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇଲେ ନୂଆ ଜୀବନ ପାଇପାରନ୍ତେ ବିବେକାନନ୍ଦ ।
ତେବେ କୌଣସି ସହୃଦୟ ବ୍ୟକ୍ତି ସହାୟତା କରିବାକୁ ଚାହୁଁଥିଲେ ନିମ୍ନଲିଖିତ ନମ୍ବରରେ ସାହାଯ୍ୟ କରିପାରିବେ...
Mobile number - 8328920835
A/C - 20495641270
IFSC - SBIN0013175
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ