ପୁରୀ: ଆଜି ହେଉଛି ବୈଶାଖ ମାସର ପ୍ରଥମ ମଙ୍ଗଳବାର । ଏହି ଅବସରରେ ବିଭିନ୍ନ ଶକ୍ତିପୀଠରେ ଝାମୁଯାତ୍ରା ଅନୁଷ୍ଠିତ ହେଉଛି । ତେବେ କାକଟପୁରର ମା' ମଙ୍ଗଳାଙ୍କ ପୀଠରେ ମଧ୍ୟ ପ୍ରସିଦ୍ଧ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଛି । ଆଦି ଶକ୍ତି ମା' ମଙ୍ଗଳା ଆଜି ରାଜରାଜେଶ୍ଵରୀ ବେଶରେ ପୂଜା ପାଉଥିବା ବେଳେ ଦର୍ଶନ ପାଇଁ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।
ଦୂର ଦୂରାନ୍ତରୁ ଆଦି ଶକ୍ତି ମା' ମଙ୍ଗଳାଙ୍କ ଦର୍ଶନ ପାଇଁ ଛୁଟି ଆସିଛନ୍ତି ଅନେକ ଭକ୍ତ । ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ମା'ଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ ହେଉଛି । ଭକ୍ତ ମାନେ କିପରି ଶାନ୍ତିଶୃଙ୍ଖଳା ସହିତ ମା'ଙ୍କ ଦର୍ଶନ କରିପାରିବେ, ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଭକ୍ତମାନେ ଧାଡିରେ ଯାଇ ମା'ଙ୍କ ଦର୍ଶନ କରି କରୁଣା ଲାଭ କରୁଛନ୍ତି । ମା' ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରାରେ ମଧ୍ୟ ରାତିରୁ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି ହୋଇଥିଲା ।
ବଲ୍ଲଭ ନୀତି ପରେ ପ୍ରାରମ୍ଭିକ ସମୟରେ ସକାଳ ଧୂପ କରାଯାଇଛି । ବନ୍ଦାପନା ଆଳତୀ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । କୋଭିଡ ମହାମାରୀ କାରଣରୁ ଗତ ଦୁଇ ବର୍ଷ ହେବ ମନ୍ଦିର ବନ୍ଦ ଥିବାରୁ ଭକ୍ତ ମାନେ ଝାମୁଯାତ୍ରା ଦେଖିବାରୁ ବଞ୍ଚିତ ହୋଇଥିଲେ । ତେବେ ମା' ମଙ୍ଗଳାଙ୍କ ଦର୍ଶନ ପାଇ ଭକ୍ତ ମାନେ ଏବେ ବେଶ ଭାବବିହ୍ଵଳ ହୋଇ ପଡିଥିବା ଦେଖିବାକୁ ମିଳିଛି ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ