ପୁରୀ: ଚଳିତ ବର୍ଷ ଆସନ୍ତା ନଭେମ୍ବର 27 ତାରିଖରେ ଦ୍ଵାଦଶୀ ମଳ ତିଥିରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। କୋଭିଡ କଟକଣା ହେତୁ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିବାର ସୁବିଧା ଏଥର ଭକ୍ତଙ୍କୁ ମିଳିବ ନାହିଁ । ଯାହାକୁ ନେଇ ଭକ୍ତ ମହଲରେ ନିରାଶା ଭାବ ଖେଳି ଯାଇଛି। କିନ୍ତୁ ଏହାରି ମଧ୍ୟରେ ଭକ୍ତଙ୍କ ପାଇଁ ଏକ ଭଲ ଖବର ଆସିଛି । କାରଣ 2021ରେ ମଧ୍ୟ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
2021 ମସିହାରେ ମଧ୍ୟ ପଞ୍ଚୁକ 6 ଦିନ ପଡୁଥିବା ହେତୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବ। ଏ ନେଇ କ୍ୟାଲେଣ୍ଡରରେ ଗଣନା କରି ଉଲ୍ଲେଖ କରାଯାଇଛି। ଏହି ପ୍ରସଙ୍ଗରେ ମଧ୍ୟ କିଛି ଗଣମାଧ୍ୟମରେ ପ୍ରକାଶନ ପରେ 2021 ରେ ନାଗାର୍ଜୁନ ବେଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଏହି ଗଣନାକୁ ମଧ୍ୟ କେତେକ ବରିଷ୍ଠ ସେବାୟତ ମାନିଛନ୍ତି। ତେବେ ଶ୍ରୀମନ୍ଦିରର ବିଧିବଦ୍ଧ ପାଞ୍ଜି ଆସିଲେ ଏନେଇ ଘୋଷଣା ହେବ। ଯାହାକୁ ନେଇ ଏବେ ଭକ୍ତ ମହଲରେ ଆନନ୍ଦ ଖେଳି ଯାଇଛି।
ସୂଚନା ଅନୁଯାୟୀ, ପୂର୍ବରୁ 1966 ଓ 67 ମସିହା ଏବଂ 1993 ଓ 94 ମସିହାରେ କ୍ରମାଗତ ଦୁଇ ବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହୋଇ ଅନୁଷ୍ଠିତ ହୋଇଥିଲା। ଏଣୁ 2020ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡୁଥିବା ହେତୁ 2021 ରେ ମଧ୍ୟ ନାଗାର୍ଜୁନ ବେଶ ହେବା ନେଇ ଚର୍ଚ୍ଚା ଚାଲିଛି ।
ସେପଟେ 2021 ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡିବ ବୋଲି ଏବେଠୁ କହିବା ଠିକ ହେବନି ବୋଲି ଜଗନ୍ନାଥ ସଂସ୍କୃତି ପ୍ରଚାରକ ସୂର୍ଯ୍ୟ ନାରାୟଣ ରଥ ଶର୍ମା କହିଛନ୍ତି। ଶ୍ରୀମନ୍ଦିର ନିଜର ପଞ୍ଜିକା ନ ଆସିଲା ଯାଏଁ ଅନ୍ୟ କୌଣସି ପଞ୍ଜିକା ଗଣନାକୁ ନେଇ ଶ୍ରୀମନ୍ଦିର ରୀତିନୀତି କହିବା ଠିକ ହେବ ନାହିଁ ବୋଲି ରଥ ଶର୍ମା ମତ ଦେଇଛନ୍ତି।
ସେପଟେ ଚଳିତ ବର୍ଷର ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଆଗେଇ ଚାଲିଛି। ପବିତ୍ର ବିଜୟା ଦଶମୀରେ ନାଗାର୍ଜୁନ ବେଶ ପ୍ରସ୍ତୁତି ନେଇ ଅନୁକୂଳ ହୋଇଛି। କୋଭିଡ କଟକଣା ହେତୁ ଚଳିତ ନଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେଉଥିବା ଭକ୍ତ ନିରାଶ ହୋଇ ଥିବା ବେଳେ 2021 ପୁଣି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡ଼ୁଥିବା ନେଇ ବେଶ ଖୁସି ପ୍ରକଟ କରିଛନ୍ତି ଭକ୍ତ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ