ପୁରୀ: ବଡଦାଣ୍ଡରେ ଥିବା ଏକ ସପିଙ୍ଗ କମ୍ପ୍ଲେକ୍ସରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ବଡଦାଣ୍ଡରେ ଥିବା ସମ୍ରାଟ ସପିଙ୍ଗ କମ୍ପ୍ଲେକ୍ସରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ଅନେକ ଦୋକାନ ପୋଡି ଯାଇଛି । ଏହି ସପିଙ୍ଗ କମ୍ପ୍ଲେକ୍ସରେ ଡ୍ରେସ ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ଷ୍ଟେସନାରୀ ଦୋକାନ, ହୋଟେଲ୍, ଲଜ୍ ମଧ୍ୟ ରହିଛି । ତେବେ ସପିଙ୍ଗ କମ୍ପ୍ଲେକ୍ସର ତଳ ମହଲାରେ ଏକ ଡ୍ରେସ ଦୋକାନରେ ଅଗ୍ନିକାଣ୍ଡ ଘଟି ଅନ୍ୟ ଦୋକାନକୁ ଏହା ବ୍ୟାପୀ ଯାଇଥିବା କୁହାଯାଉଛି ।
ସର୍ଟ ସର୍କିଟ ଯୋଗୁଁ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିବାକୁ ଚେଷ୍ଟା ଚଳାଇଛି । ୪ଟି ଦମକଳ ଗାଡି ଏହି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ସନ୍ଧ୍ୟା ୮ଟା ସମୟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଏପର୍ଯ୍ୟନ୍ତ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ କରାଯାଇ ପାରିନାହିଁ । ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ସପିଙ୍ଗ କମ୍ପ୍ଲେକ୍ସର ଉପର ମହଲାରେ ଏକ ହୋଟେଲ୍ ରହିଥିବା ବେଳେ ସେଠାରେ ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି । ଏଠାରେ ୪ ଜଣ ମହାରାଷ୍ଟ୍ରର ପର୍ଯ୍ୟଟକ ଫସିଥିବାବେଳେ ସେମାନଙ୍କୁ ଦମକଳ ବାହିନୀର କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ସନ୍ଧ୍ୟା ୮ଟାରେ ଏହି ଅଗ୍ନିକାଣ୍ଡ ଘଟିଛି । ହଠାତ୍ ତଳ ମହଲାରେ ଥିବା ଦୋକାନରୁ କଳା ଧୂଆଁ ବାହାରିଥିଲା । ଚାହୁଁ ଚାହୁଁ ଏହା ବ୍ୟାପୀ ଯାଇଥିଲା ବୋଲି କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।
ତେବେ ନିଆଁ ଲାଗିଯିବା ଦେଖି ଲୋକମାନେ ଜୀବନ ବିକଳରେ ପଦାକୁ ପଳାଇ ଆସିଥିଲେ । ସେହିପରି ଜଣେ ଦୋକାନୀ କହିଛନ୍ତି, ସେମାନେ ତଳେ ଦୋକାନ ବନ୍ଦ କରୁଥିବା ବେଳେ ପାଖରେ ଥିବା ଦୋକାନରୁ ଧୂଆଁ ବାହାରିଥିଲା । ସେମାନେ ଭୟରେ ଦୋକାନ ବନ୍ଦ ନକରି ନିଜର ଜୀବନ ବଞ୍ଚାଇବା ପାଇଁ ବାହାରକୁ ପଳାଇ ଆସିଥିଲେ । ତେବେ ଅଗ୍ନିକାଣ୍ଡକୁ ଆୟତ କରିବାବେଳେ ଜଣେ ଅଗ୍ନିଶମ କର୍ମଚାରୀ ପ୍ରବଳ ଧୂଆଁ ଯୋଗୁଁ ଅଣନିଶ୍ଵାସୀ ହୋଇ ପଡ଼ିବାରୁ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ପ୍ରବଳ ଧୂଆଁକୁ ଦେଖି ଅତ୍ୟାଧୁନିକ ଅକ୍ସିଜେନ୍ ସିଲିଣ୍ଡର ନେଇ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ ବାହିନୀ ।
ଇଟିଭି ଭାରତ, ପୁରୀ