ପୁରୀ: କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥିରେ ରତ୍ନ ସିଂହାସନରେ ବାଙ୍କ ଚୂଡ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଏନେଇ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଜମିଛି ହଜାର ହଜାର ଭକ୍ତଙ୍କ ଭିଡ । ଏଥିସହ ପଞ୍ଚୁକ ବ୍ରତ ପାଇଁ ଜୟ ଜଗନ୍ନାଥ ଧ୍ବନୀ ଓ ଭଜନ କୀର୍ତ୍ତନରେ ବଡଦାଣ୍ଡରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ ।
ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡକୁ ନଜରରେ ରଖି ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଏଥିସହ ବ୍ୟାରିକେଡରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ 22 ପ୍ଲାଟୁନ ଫୋର୍ସଙ୍କୁ ମନ୍ଦିର ଭିତରେ ଓ ବାହାରେ ମୁତୟନ କରାଯାଇଛି । ତେବେ ମହାପ୍ରଭୁଙ୍କ ଏହି ବାଙ୍କଚୂଡ ବେଶ ପଛରେ ରହିଛି ଏକ ସୁନ୍ଦର ପୌରାଣିକ କଥାବସ୍ତୁ ।
କିମ୍ବଦନ୍ତୀ କୁହେ ଯେତେବେଳେ ଅକ୍ରୁର ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରା ଆଣିବାକୁ ଗୋପପୁରରେ ପହଞ୍ଚିଥିଲେ, ସେ ସମୟରେ ବ୍ରଜଦାଣ୍ଡରେ ଅକ୍ରୁରଙ୍କୁ ବାଙ୍କ ଚୂଡ ବେଶରେ କୃଷ୍ଣ ଓ ବଳରାମ ଦର୍ଶନ ଦେଇଥିଲେ । ସେହି ସ୍ମୃତିରେ ଏହି ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ । ଏହି ବେଶରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ସ୍ବର୍ଣ୍ଣ ଅଳଙ୍କାରରେ ଆଭୂଷିତ କରାଯାଇଥାଏ । ଏଥିସହ ଚୂଡା ମଧ୍ୟ ଧାରଣ କରନ୍ତି ମହାପ୍ରଭୁ । ତେବେ ମହାପ୍ରଭୁଙ୍କ ମଥାରେ ଚୂଡ ଦକ୍ଷିଣ ଦିଗକୁ ଢଳି ରହିବାର ବିଧି ରହିଛି । ଏଥିପାଇଁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କ ଚୂଡ ବେଶ ବୋଲି କୁହାଯାଏ ।
ମହାପ୍ରଭୁଙ୍କ ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବିଶ୍ବାସ ରହିଛି କି ଆଜିର ପବିତ୍ର ତିଥିରେ ମହାପ୍ରଭୁଙ୍କ ଏହି ବେଶ ଯିଏ ଦର୍ଶନ କରେ କରେ, ତାକୁ ଅପାର ଆନନ୍ଦ ସହ ଦିବ୍ୟ ଗତି ଲାଭ ହୋଇଥାଏ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ