ପୁରୀ: ନୂଆବର୍ଷକୁ ନେଇ ସମସ୍ତଙ୍କ ମନରେ ଅନେକ ଆଶା ଉଦ୍ଦୀପନା ଭରି ରହିଥାଏ । ନବବର୍ଷ ସୁଖ ସମୃଦ୍ଧିର ବର୍ଷ ହେଉ ବୋଲି ସମସ୍ତଙ୍କର ଆଶା ରହିଥାଏ । ଏଣୁ ବର୍ଷ ଆରମ୍ଭରୁ ବିଶ୍ଵନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବା ପାଇଁ ଲୋକଙ୍କ ମନରେ ଆଗ୍ରହ ରହିଥାଏ । ତେବେ ଆଜି (ମଙ୍ଗଳବାର) ନବବର୍ଷର ଦ୍ବିତୀୟ ଦିନରେ ମଧ୍ୟ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି । ଦେଶର ବିଭିନ୍ନ ସ୍ଥାନରୁ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଛୁଟି ଆସିଛନ୍ତି ଭକ୍ତ ।
ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରି ଭକ୍ତମାନେ ନିଜକୁ ଧନ୍ୟ ମଣିଛନ୍ତି । ନିଜ ପରିବାରର ମଙ୍ଗଳ କାମନା ସହ ସାରା ବିଶ୍ବବାସୀଙ୍କ ମଙ୍ଗଳ କାମନା କରିଛନ୍ତି ଭକ୍ତ । ତେବେ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇଥିବାରୁ ଭଲରେ ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତମାନେ ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି । ଶ୍ରୀମନ୍ଦିର ବାହାରେ ଲୋକଙ୍କୁ ଲାଇନରେ ଛଡା ଯାଉଥିବା ବେଳେ ଶ୍ରୀମନ୍ଦିର ଭିତରେ ମଧ୍ୟ ଭକ୍ତମାନଙ୍କୁ ଲାଇନରେ ଛଡାଯିବାର ଆବଶ୍ୟକତା ରହିଥିବା ଭକ୍ତ କହିଛନ୍ତି । ଶ୍ରୀମନ୍ଦିର ଭିତରେ ଏହି ବ୍ୟବସ୍ଥା ନ ଥିବାରୁ ଭକ୍ତଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି ।
ଏହା ବି ପଢନ୍ତୁ- କାଲି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତ୍ର ୮ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
ବରିଷ୍ଠ ନାଗରିକ, ଛୋଟ ପିଲା, ମହିଳାମାନେ ବେଶ ଅସୁବିଧା ଭୋଗୁଛନ୍ତି । ଏଣୁ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଭକ୍ତ ମହଲରେ ଦାବି ହୋଇଛି । ସେପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖାଯାଇ କିଭଳି ନୀତିକାନ୍ତି ଶୃଙ୍ଖଳିତ ହୋଇପାରିବ ସେଦିଗରେ ଶ୍ରୀମନ୍ଦିର ପ୍ରଶାସନ ବେଶ ଗୁରୁତ୍ବ ଦେଇଛି । ମଙ୍ଗଳବାର ଭୋର ୩ଟା ୩୫ରେ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ ସହ ଅନ୍ୟାନ୍ୟ ନୀତିକାନ୍ତି ବଢ଼ି ପହିଲି ଭୋଗ ନୀତି ସମ୍ପନ୍ନ ହୋଇଥିଲା । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ଭକ୍ତ । ଶ୍ରଦ୍ଧାଳୁଙ୍କ ପାଇଁ ଟଏଲେଟ୍ ବ୍ୟବସ୍ଥା, ପରିକ୍ରମା କରିବା ପାଇଁ ଚଲାପଥ ଏବଂ ଶ୍ରୀମନ୍ଦିର ଚାରିପାର୍ଶ୍ବରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଭକ୍ତମାନେ ପ୍ରଶଂସା କରିଛନ୍ତି ।
ଏହା ବି ପଢନ୍ତୁ- ନୂଆ ବର୍ଷରେ ଶ୍ରୀମନ୍ଦିରରେ ନୂଆ ନିୟମ, ମହାପ୍ରଭୁଙ୍କ ଦର୍ଶନ କଲେ ଲକ୍ଷାଧିକ ଭକ୍ତ
ତେବେ ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ଭକ୍ତମାନେ ସ୍ବାଗତ କରିଛନ୍ତି । ଏଭଳି ବିକାଶ କାର୍ଯ୍ୟ ଜାରି ରହିବା ଉଚିତ ବୋଲି ମତ ରଖିଛନ୍ତି ଭକ୍ତ । ନବବର୍ଷ ଦର୍ଶନ ସୁରୁଖୁରୁରେ ଚାଲିଥିବାରୁ ସମସ୍ତଙ୍କର ସହଯୋଗ ପାଇଁ ସେବାୟତ, ଭକ୍ତ, ପୁରୀ ସହରବାସୀ ଏବଂ ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ପୁରୀ ଏସପି । ଚଳିତ ନବବର୍ଷ ଭକ୍ତଙ୍କ ପାଇଁ ଏକ ନୂଆ ଅନୁଭୂତି ଆଣିଦେଇଛି ନବନିର୍ମିତ ଏସି ସେଡ୍ ପାଥ୍ ୱେ । ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଏସି ସେଡ୍ ପାଥ୍ ୱେରେ ବସିବା ପାଇଁ ବ୍ୟବସ୍ଥା ଏବଂ ସମସ୍ତ ଆନୁଷଙ୍ଗିକ ସୁବିଧା ସୁଯୋଗ ପ୍ରଶାସନ ଯୋଗାଇ ଦେଇଥିବାରୁ ଭକ୍ତମାନେ ସରକାରଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି।
ଇଟିଭି ଭାରତ, ପୁରୀ