ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହେଇଛି କାର୍ତ୍ତିକ ବ୍ରତ । ହବିଷ୍ୟାଳୀମାନେ ଚଉରା ମୂଳେ ରାଇ ଦାମୋଦରଙ୍କୁ ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି । ଆଜି (ରବିବାର)ଠାରୁ ଏକ ମାସ ଯାଏଁ ଏହି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳୀ । ସେଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ସକାଳୁ ହବିଷ୍ୟାଳୀମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ଚଉରା ମୂଳେ ରାଇ ଦାମୋଦରଙ୍କୁ ପୂଜାର୍ଚ୍ଚନା କରି ଏହି ବ୍ରତ ଆରମ୍ଭ କରିଛନ୍ତି ।
ବ୍ରାହ୍ମଣମାନେ ହବିଷ୍ୟାଳୀଙ୍କୁ କାର୍ତ୍ତିକ ବ୍ରତ ନେଇ ସଂକଳ୍ପ କରାଇଥିଲେ । ପରେ ହବିଷ୍ୟାଳୀମାନେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇ ରତ୍ନ ସିଂହାସନରେ ଦର୍ଶନ କରିଥିଲେ । ମହାପ୍ରଭୁଙ୍କୁ ଦେଖି ଭକ୍ତ ଭାବବିହ୍ଵଳ ହୋଇପଡ଼ିଥିଲେ । ନିଜ ପରିବାର ମଙ୍ଗଳ କାମନା କରିବା ସହ ଭବ ସାଗରରୁ ଉଦ୍ଧାର ପାଇଁ ହବିଷ୍ୟାଳୀମାନେ ପ୍ରାର୍ଥନା କରିଥଲେ । ତେବେ ନିୟମ ଅନୁଯାୟୀ ଏକ ମାସ ପାଳନ ହେଉଥିବା କାର୍ତ୍ତିକ ବ୍ରତକୁ ନିଷ୍ଠାର ସହ ପାଳନ କରାଯାଏ । ମହାପ୍ରସାଦ ସେବନ କରି ମହାପ୍ରଭୁ ନାମ ସ୍ମରଣ ପୂର୍ବକ ପୁରାଣ ପାଠ କରି ଦିନ କାଟିଥାନ୍ତି ହବିଷ୍ୟାଳୀ ।
ଏହା ବି ପଢନ୍ତୁ- ପଞ୍ଜିକରଣ କରିପାରିନଥିବା ହବିଷ୍ୟାଳୀଙ୍କୁ ଶିବିରରେ ସ୍ଥାନ ଦେବାକୁ ଦାବି
୩ ହଜାର ହବିଷ୍ୟାଳୀଙ୍କ ରହଣି ବ୍ୟବସ୍ଥା: ତେବେ ପୁରୀରେ ୫ଟି ହବିଷ୍ୟାଳୀ ଶିବିର ସରକାରଙ୍କ ପକ୍ଷରୁ କରାଯାଇଛି । ୩ ହଜାର ହବିଷ୍ୟାଳୀଙ୍କ ରହିବା ବ୍ୟବସ୍ଥା ସହ ମହାପ୍ରସାଦ ସେବନ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବସରେ ନିଆଯାଇ ହବିଷ୍ୟାଳୀଙ୍କୁ ଜଗନ୍ନାଥ ଦର୍ଶନର ବ୍ୟବସ୍ଥା କରାଯାଇଛି । ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିଥିବା ୩୦୨୪ ଜଣ ହବିଷ୍ୟାଳି ମା'ମାନଙ୍କୁ ୫ ଗୋଟି ରହଣି କେନ୍ଦ୍ରରେ ରଖାଯିବା ସମସ୍ତ ବ୍ୟବସ୍ଥା ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀ ଶିବିରକୁ ଉଦଘାଟନ କରିବେ । ତେବେ ହବିଷ୍ୟାଳୀ ଶିବିରରେ ରହୁଛନ୍ତି କାର୍ତ୍ତିକ ବ୍ରତଧାରୀ । ତେବେ ଗୋଟିଏ ସ୍ଥାନରେ ରହି ମହାପ୍ରଭୁଙ୍କ ଦର୍ଶନ ସହ ଦୈନିକ ମହାପ୍ରସାଦ ସେବନ, ପୂଜାପାଠ, ପ୍ରବଚନ, ସହ ସବୁ ଆନୁଷଙ୍ଗିକ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଥିବାରୁ ହବିଷ୍ୟାଳୀମାନେ ବେଶ ଖୁସିବ୍ୟକ୍ତ କରିଛନ୍ତି ।
ସମସ୍ତ ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା: ମୁଖ୍ୟମନ୍ତ୍ରୀ ତାଙ୍କୁ ପୁଅ ଭଳି ସବୁ ଯତ୍ନ ନେଉଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଉଥିବା କହିଛନ୍ତି । ତେବେ ହବିଷ୍ୟାଳୀଙ୍କ ସମସ୍ତ ବ୍ୟବସ୍ଥା ସଠିକ ଭାଗରେ ଓ ନିଷ୍ଠାର ସହ କରିବାକୁ ଶିବିର ଦାୟିତ୍ଵରେ ସବୁ କର୍ମଚାରୀ, ସ୍ଵେଚ୍ଛାସେବୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା । ହବିଷ୍ୟାଳୀ କାର୍ଯ୍ୟରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଓ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇ ଦେବା ସହ ଭଲ କାମ ପାଇଁ ପ୍ରୋତ୍ସାହିତ କରାଯିବ ବୋଲି କହିଛନ୍ତି ।
ଠିକ ଭାଗରେ ଦାୟିତ୍ବ ତୁଲାଇବାକୁ ଜିଲ୍ଲା ପ୍ରଶାସନର ତାଗିଦ: ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର, ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପଠାରେ ହବିଷ୍ୟାଳୀ ମା'ମାନଙ୍କର ରହଣିର ବ୍ୟବସ୍ଥା ହୋଇଛି । ହବିଷ୍ୟାଳୀ ଯୋଜନା ଆଧାରରେ ବୟସ୍କା ମା'ମାନେ ଏହି ବ୍ରତରେ ସାମିଲ ହେଉଛନ୍ତି । ତେଣୁ ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇବାକୁ ବ୍ୟବସ୍ଥା କରିଛି । ଏହାକୁ ସମ୍ମିଳିତ ଭାବେ ସଫଳ କରିବା ପାଇଁ ପୁରୀ ଜିଲା ପ୍ରଶାସନ ଦାୟିତ୍ଵ ନେଇଛି । ସେମାନଙ୍କର ସୁରକ୍ଷିତ ରହଣି, ସୁରକ୍ଷା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ, ପାଲା ଆଦି ବ୍ୟବସ୍ଥା ସହ ଚିକିତ୍ସା, ପରିମଳ, ପାନୀୟ ଜଳ, ନରେନ୍ଦ୍ରରେ ସ୍ନାନ ବ୍ୟବସ୍ଥା, ସ୍ବେଚ୍ଛାସେବୀ ସହଯୋଗ ଆଦି ବ୍ୟବସ୍ଥା କରାଯାଇଛି ।
ଏହା ବି ପଢନ୍ତୁ- ହବିଷ୍ୟାଳୀ ଶିବିରରେ ବ୍ୟାପକ ଅବ୍ୟବସ୍ଥା, ନିବାସ ଭିତରେ ଗଡୁଛି ମଦ ବୋତଲ
ଏଥିପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଏହାକୁ ସୁନିୟନ୍ତ୍ରିତ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଛି । ମା'ମାନଙ୍କୁ ଠାକୁର ଦର୍ଶନ ସମୟରେ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆରକ୍ଷୀ ବିଭାଗ ଓ ସ୍ବେଚ୍ଛାସେବୀମାନେ ସମନ୍ବୟ ରଖି କାର୍ଯ୍ୟ କରିବେ । ଏହି କାର୍ଯ୍ୟ ଏକ ବ୍ୟାପକ ଓ ୧ ମାସ ଧରି କରିବାର ଆବଶ୍ୟକତା ଥିବାରୁ ବିଭାଗ ବିଭାଗର କର୍ମଚାରୀ ଓ ସ୍ବେଚ୍ଛାସେବୀମାନଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଉଛି । ତେଣୁ ଏହି କାର୍ଯ୍ୟକୁ ପାରସ୍ପରିକ ସମନ୍ବୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।
ଇଟିଭି ଭାରତ, ପୁରୀ