ପୁରୀ: ଭିଡ଼ର ସୁଯୋଗ ନେଇ ମହିଳାଙ୍କ ବେକରୁ ଚେନ୍ ଲୁଟ୍ କରୁଥିବା ବେଳେ ଧରା ପଡ଼ିଲା ଲୁଟେରା । ମନ୍ଦିରରେ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । ପୁରୀର ପ୍ରସିଦ୍ଧ ଲୋକନାଥ ମନ୍ଦିରରୁ ଜଣେ ମହିଳା ଚେନ୍ ଲୁଟେରାକୁ ଧରିଛନ୍ତି ଜଣେ ମହିଳା ଭକ୍ତ । ପ୍ରଭୁଙ୍କୁ ଦର୍ଶନ କରୁଥିବାବେଳେ ଏହି ସମୟର ସୁଯୋଗ ନେଇ ଜଣେ ଅଣଓଡ଼ିଆ ମହିଳା ଭୁବନେଶ୍ଵରର ଉର୍ମିବାଳା ପ୍ରଧାନଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେଉଥିବାବେଳେ ଉର୍ମିବାଳା ଲୁଟେରାକୁ କାବୁ କରିଥିଲେ । ଏହାପରେ ଚୋରି କରି ନେଉଥିବା ମହିଳାଙ୍କଠାରୁ ଚେନ୍ ଜବତ କରାଯାଇଥିଲା ।
ତେବେ ଏହି ଘଟଣା ଜଣାପଡ଼ିବା ପରେ ଲୋକନାଥ ମନ୍ଦିରର ସେବାୟତମାନେ ଏକାଠି ଲୁଟ୍ କରିଥିବା ମହିଳାଙ୍କୁ ପଚରାଉଚରା କରିବା ସହ ପୋଲିସ୍ ଜିମାରେ ଦେଇଛନ୍ତି । ତେବେ ଏହି ଘଟଣା କିଛି ନୂଆ ନୁହେଁ । ଗତ କିଛି ଦିନ ହେବ ଲୋକନାଥ ମନ୍ଦିରରୁ ମହିଳା ଭକ୍ତଙ୍କ ବେକରୁ ବାରମ୍ବାର ଚେନ୍ ଲୁଟ ହେଉଥିବା ଅଭିଯୋଗ ବଢ଼ିବାରେ ଲାଗିଥିଲା । ଏହି ଚୋରି ଘଟଣା ପାଇଁ ପ୍ରଭୁ ଲୋକନାଥଙ୍କ ସେବାୟତମାନେ ବଦନାମ ହେଉଥିଲେ । ତେବେ "ଆଜିର ଘଟଣା ପ୍ରକୃତ କଥାକୁ ଲୋକ ଲୋଚନକୁ ଆଣିଛି" ବୋଲି ସେବାୟତ କହିଛନ୍ତି ।
ଏହା ବି ପଢନ୍ତୁ...ବ୍ଲାକ୍ ପଲସର ଆତଙ୍କ, 3 ଜଣିଆ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ
କିଛି ଚେନ୍ ଲୁଟେରା ଯୋଜନାବଦ୍ଧ ଭାବେ ମନ୍ଦିରରେ ଗହଳିର ସୁଯୋଗ ନେଇ ଭକ୍ତଙ୍କଠାରୁ ଲୁଟ୍ କରିଆସୁଥିବା ଅଭିଯୋଗ ହୋଇଛି । ବିଭିନ୍ନ ପର୍ବ ପର୍ବାଣୀରେ ଭିଡ଼ର ସୁଯୋଗ ନେଇ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ କରୁଛନ୍ତି ଲୁଟେରା । ତେବେ ଏଠି ପ୍ରଶ୍ନ ଉଠୁଛି, ଲୋକନାଥ ମନ୍ଦିରରେ ବାରମ୍ବାର ଚେନ୍ ଚୋରି ଘଟଣା ବଢ଼ି ଚାଲିଥିବାବେଳେ ପୋଲିସ କରୁଛି କଣ? ବହୁ ପ୍ରସିଦ୍ଧ ପ୍ରଭୁ ଲୋକନାଥଙ୍କ ପୀଠରେ ବିଭିନ୍ନ ପର୍ବପର୍ବାଣୀରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ହେଲେ ଦିନକୁ ଦିନ ମନ୍ଦିର ପରିସରରେ ଲୁଟପାଟ୍ ଘଟଣା ବଢୁଥିବାବେଳେ ପୋଲିସର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାସହ "କାହିଁକି ମହିଳା ପୋଲିସଙ୍କୁ ମନ୍ଦିର ଭିତରେ ଡ୍ୟୁଟିରେ ରଖାଯାଉନାହିଁ?" ବୋଲି ପ୍ରଶ୍ନ କରିଛନ୍ତି ଶ୍ରଦ୍ଧାଳୁ।
ଅପରପକ୍ଷେ, ଅଳ୍ପ କେତେଜଣ ପୋଲିସଙ୍କୁ ଡ୍ୟୁଟିରେ ରଖାଯାଉଥିବାବେଳେ ସେମାନେ ସଠିକ ଢଙ୍ଗରେ ଡ୍ୟୁଟି କରୁନଥିବା ସ୍ପଷ୍ଟ ହୋଇଛି । ଏହା ଫଳରେ ଚେନ୍ ଲୁଟେରାଙ୍କ ପ୍ରାଦୃର୍ଭାବ ବଢ଼ିଚାଲିଥିବାବେଳେ ଭକ୍ତ ଅସୁରକ୍ଷିତ ହୋଇ ପଡିଛନ୍ତି । ତୁରନ୍ତ ପୁରୀ ଏସପି ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଲୋକନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ସେବାୟତ ଓ ଭକ୍ତଙ୍କ ମହଲରେ ଦାବି ଜୋର ଧରିଛି ।
ଇଟିଭି ଭାରତ, ପୁରୀ