ପୁରୀ: ରାତି ପାହିଲେ ଜଗନ୍ନାଥ ଧାମ ପୁରୀକୁ ରାଜ୍ୟ ତଥା ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ସମାଗମ ହୁଏ । କିନ୍ତୁ ଏଠାରେ ବିପର୍ଯ୍ୟସ୍ତ ହୋଇପଡିଛି ପରିମଳ ବ୍ୟବସ୍ଥା । ଯୁଆଡେ ଦେଖିବେ ସିଆଡେ କୁଢ କୁଢ ଅଳିଆ । ସହରର ମୁଖ୍ୟ ରାସ୍ତା, ବିଭିନ୍ନ ସାହିରେ କୁଢ଼ କୁଢ଼ ଆବର୍ଜନା ଜମି ରହିଛି । କିନ୍ତୁ ସଫେଇ ହେଉନାହିଁ । ଯାହାକୁ ନେଇ ପୁରୀ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ସହର ସଫେଇ ପୁରୀ ପୌରପାଳିକା ହାତରେ ଥିବା ବେଳେ ପୌର ପ୍ରଶାସନର ଖାମ ଖିଆଲି ମନୋଭାବକୁ କଡ଼ା ସମାଲୋଚନା କରିଛନ୍ତି ପୁରୀ ବାସିନ୍ଦା । ସେପଟେ ସଫେଇ କାର୍ଯ୍ୟ ସଠିକ୍ ଢଙ୍ଗରେ କରାନଗଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।
ପୁରୀ ସହର ଏକ ପର୍ଯ୍ୟଟନ ସ୍ଥଳୀ । ମହାପ୍ରଭୁ ଶ୍ରଜଗନ୍ନାଥଙ୍କୁ ଦର୍ଶନ ପାଇଁ ହଜାର ହଜାର ଭକ୍ତ ପ୍ରତିଦିନ ପୁରୀ ଆସୁଛନ୍ତି । ହେଲେ ପୁରୀର ଏଭଳି ପରିବେଶ ଦେଖି ଭକ୍ତ ଓ ପର୍ଯ୍ୟଟକ ନାକ ଟେକୁଛନ୍ତି । ପୁରୀକୁ ସ୍ୱଚ୍ଛ ଆଇକନିକ ସିଟି ବୋଲି ସହରର ପ୍ରବେଶ ଦ୍ଵାରରେ ବଡ ହୋର୍ଡିଂ ଲାଗିଥିବା ବେଳେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳୁଛି । ସଫେଇ ପାଇଁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ଵ ଦିଆଯାଇଥିବା ବେଳେ ଉକ୍ତ ସଂସ୍ଥା ସଠିକ୍ରେ କାମ କରୁନଥିବା ଅଭିଯୋଗ ହେଉଛି । ସହରର ପରିବେଶକୁ ସ୍ୱଚ୍ଛ ନିର୍ମଳ ରଖିବାରେ ପୁରୀ ପୌର ନିର୍ବାହୀ ଅଧିକାରୀ କାହିଁକି ଅବହେଳା କରୁଛନ୍ତି ସେ ନେଇ ବୁଦ୍ଧିଜୀବୀ ଓ ପୁରୀ ଜିଲ୍ଲା କଂଗ୍ରେସ ପ୍ରଶ୍ନ ଉଠାଇଛି ।
ଏହା ମଧ୍ୟ ପଢନ୍ତୁ-ସମ୍ବଲପୁର ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, କମିଶନରଙ୍କୁ ଘେରିଲା ଜିଲ୍ଲା ବିଜେପି
ବାରମ୍ବାର ସଫେଇ ସମସ୍ୟାକୁ ନେଇ ପୌର ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରାଯାଉଥିବା ବେଳେ ଫଳ ଶୂନ ବୋଲି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । ଏହା ଦ୍ବାରା ଲୋକଙ୍କ ଭିତରେ ଅସନ୍ତୋଷ ବଢିବା ସହ ଆଗାମୀ ଦିନରେ ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କା ଥିବା ବୁଦ୍ଧିଜୀବୀ ସୂର୍ଯ୍ୟ ରଥ କହିଛନ୍ତି । ସେପଟେ ପୁରୀ ସହରର ସ୍ୱଚ୍ଛତା ରଖିବାରେ ପୁରୀ ପୌର ପାଳିକାର ବିଫଳତାକୁ କଡ଼ା ସମାଲୋଚନା କରିଛି ପୁରୀ ଜିଲା କଂଗ୍ରେସ । ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଟିକସ ଆଦାୟ ପୌରପାଳିକା କରୁଥିବା ବେଳେ ସହରକୁ ସଠିକ୍ ଢଙ୍ଗରେ ସଫେଇ ନକରିବାକୁ ନେଇ କଂଗ୍ରେସ ସମାଲୋଚନା କରିଛି । ତୁରନ୍ତ ପୌର କର୍ତ୍ତୃପକ୍ଷ ପୁରୀ ସହରର ମୁଖ୍ୟ ରାସ୍ତା, ସାହି ଭିତରେ ଥିବା ଅଳିଆ ସଠିକ ସମୟରେ ଉଠାଇବା ପାଇଁ କଂଗ୍ରେସ କମିଟିର ସଭାପତି ଜୟ ନାରାୟଣ ପଟ୍ଟନାୟକ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ପୌର ପାଳିକା ଆଗରେ ଧାରଣା ଦିଆଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।
ଇଟିଭି ଭାରତ, ପୁରୀ