ପୁରୀ: ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ । ହିନ୍ଦୁ ଧର୍ମର ସବୁଠୁ ପୁଣ୍ୟ ମାସ । ଏଥିପାଇଁ ଚଳଚଞ୍ଚଳ ସାରା ଓଡିଶା। ଶ୍ରୀକ୍ଷେତ୍ରରେ ଜମିଛି ହବିଷ୍ୟାଳିଙ୍କ ଭିଡ । ସକାଳୁ ହବିଷ୍ୟାଳିମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ ପରେ ଚଉରା ମୂଳେ ମହା ସଂକଳ୍ପ କରିଛନ୍ତି । ଆଜିଠାରୁ ଏକ ମାସ ଧରି କାର୍ତ୍ତିକ ବ୍ରତ ପାଳନ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ, କାର୍ତିକ ମାହାତ୍ମ୍ୟ ଶ୍ରବଣ ସମେତ ମହାପ୍ରସାଦ ସେବନ କରି କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ବ୍ରତ ପାଳନ କରିବେ ।
କାର୍ତ୍ତିକ ମାସ ଧର୍ମ ମାସ ହୋଇଥିବାରୁ ଏହି ମାସରେ ରାଧା ଦାମୋଦରଙ୍କୁ ପୂଜା କରାଯାଏ । ଶ୍ରୀମନ୍ଦିର ମହାପ୍ରଭୁଙ୍କ ରାଧା ଦାମୋଦର ବେଶ କାର୍ତ୍ତିକ ମାସରେ ଅନୁଷ୍ଠିତ ହୋଇଥାଏ । ସେହିପରି ମହାପ୍ରଭୁଙ୍କ ଠାରେ ସ୍ବତନ୍ତ୍ର ବାଳ ଭୋଗ ଅନୁଷ୍ଠିତ ହୋଇଥାଏ । ଏହି ମାସରେ ନିଷ୍ଠାର ସହ ବ୍ରତ ପାଳନ ହୋଇଥାଏ । ବିଶ୍ବାସ ରହିଛି ଏହି ମାସରେ ଧର୍ମ ସାଙ୍ଗକୁ କାର୍ତ୍ତିକ ମାହାତ୍ମ୍ୟ ଶ୍ରବଣ କଲେ କୋଟିଜନ୍ମର ପୁଣ୍ୟ ମିଳିଥାଏ ।
ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇ ଥିବାବେଳେ ହବିଷ୍ୟାଳିମାନେ ଗୁଆ ନଡ଼ିଆ ବସାଇ ଚଉରା ମୂଳେ ରଙ୍ଗ ବେରଙ୍ଗର ମୁରୁଜ ପକାଇ ପୂଜାର୍ଚ୍ଚନା କରନ୍ତି । ଧୁଆ ମୁଗ,ପାଚିଲା କଦଳୀ ଓ ସେଓ ଆଦି ଫଳମୂଳ ଭୋଗ ଲଗାଇ ରାଧା ଦାମୋଦରଙ୍କୁ ମାସ ସାରା ପୂଜା କରିବେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ