ପୁରୀ: ପର୍ଯ୍ୟଟନ ସହର ପୁରୀରେ ବଢୁଛି ବୁଲା କୁକୁରଙ୍କ ସଂଖ୍ୟା । ପ୍ରତିବର୍ଷ କୁକୁର କାମୁଡାରେ ଜଳାନ୍ତକ ରୋଗରେ ଶିକାର ହେଉଛନ୍ତି ହଜାର ହଜାର ଲୋକେ । ବୁଲା କୁକୁରଙ୍କ ସଂଖ୍ୟା ଏବେ ସହରବାସୀଙ୍କ ପାଇଁ ପାଲଟିଛି ଚିନ୍ତାର ବିଷୟ। ଜଳାନ୍ତକ ରୋଗ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଛି ଉତ୍ତମବ୍ୟବସ୍ଥା । ହେଲେ ଆଜି ବି ଅନେକଙ୍କ ନିକଟରେ ଏହି ରୋଗକୁ ନେଇ ଅନ୍ଧବିଶ୍ବାସ ଦେଖିବାକୁ ମିଳେ । ହସ୍ପିଟାଲ ଯିବା ପରିବର୍ତ୍ତେ ଝଡା ଫୁଙ୍କା , ଗୁଣିଗାରେଡି ଭଳି ରାସ୍ତା ଆପଣାଇଥାନ୍ତି ଲୋକେ । ଫଳରେ ଅକାଳରେ ମୃତ୍ୟୁ ମୁଖରେ ପଡୁଛନ୍ତି ଜଳାନ୍ତକ ରୋଗୀ ।
କୁକୁର, ମାଙ୍କଡ଼, ଗାଇ, ବିଲେଇ ଆଦି କାମୁଡ଼ିଲେ ପ୍ରଥମେ ସାବୁନ ପାଣିରେ ଧୋଇବା ଉଚିତ । ଏହା ପରେ ମେଡ଼ିକାଲ ଆସି ଟକ୍ସାଇଡ଼ ନେବା ସହ ଆଣ୍ଟି ରାବିଜ ଟିକା ଦିଆଯାଏ । କୁକୁର କାମୁଡାର ଶିକାର ହେଲେ ମୋଟ 4ଟି ଟିକା ନେବାକୁ ହୋଇଥାଏ । ପ୍ରଥମ ଟିକା କାମୁଡିବାର ପ୍ରଥମେ 24 ଘଣ୍ଟା ମଧ୍ୟରେ, ଦ୍ବିତୀୟ ଟିକା ତୃତୀୟ ଦିନରେ, ତୃତୀୟ ଟିକା ସପ୍ତମ ଦିନରେ ଓ ଶେଷରେ ଚତୁର୍ଥ ଟିକା 28 ତମ ଦିନରେ ଦିଆଯାଏ । ଆଉ ଏହି ଟିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଏ । ପ୍ରତିଦିନ ସକାଳ 8 ଟା ରୁ 11 ଟା ଭିତରେ ଉପଲବ୍ଧ ହୁଏ ଏହି ସେବା । ତେବେ ଦୋକାନରୁ ଏହି ଟିକା କିଣିଲେ 455 ଟଙ୍କା ଦାମ ରହିଛି। ତେବେ ରାଜ୍ୟ ସରକାରଙ୍କ ଏହି ଆଣ୍ଟି ରାବିଜ ଟିକା ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣା ପ୍ରଦାନ କରୁଛନ୍ତି। ତେବେ ଲୋକ ମାନେ କୁକୁର ସମେତ କୌଣସି ଚତୁର୍ସ୍ପଦ ପ୍ରାଣୀର କାମୁଡା ଶିକାର ହେଲେ ବିଳମ୍ବ ନ କରି ମେଡ଼ିକାଲରେ ଏହି ଟିକା ନେବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଆଣ୍ଟି ରାବିଜ ଟିକା ଦିଆଯିବାକୁ ସ୍ବାଗତ କରିଛନ୍ତି ଡାକ୍ତର ।
ପୁରୀ ମୁଖ୍ୟଚିକିତ୍ସାଳୟ ଅନୁସାରେ, ଗତ 2020 ମସିହା ଏପ୍ରିଲରୁ 2021 ମସିହା ଫେବୃଆରୀ ମାସ ଯାଏ ମୋଟ 8 ହଜାର 3 ଶହ 66ଟି ଟିକା ଲୋକଙ୍କୁ ଦିଆଯାଇଛି। ପ୍ରତି ମାସରେ ହାରାହାରି 760 ଜଣକୁ ଏହି ଆଣ୍ଟି ରାବିଜ ଟିକା ମାଗଣାରେ ଦିଆଯାଉଛି। ଏଣୁ କୁକୁର କି କୌଣସି ଚତୁସ୍ପଦ ପ୍ରାଣୀ କାମୁଡ଼ିଲେ ଲୋକ ମାନେ ସଙ୍ଗେ ସଙ୍ଗେ ମେଡ଼ିକାଲ ଆସି ଚିକିତ୍ସା କରିବା ସହ ଆଣ୍ଟି ରାବିଜ ଟିକା ନେବା ଉଚିତ। ଫଳରେ ଅନେକ ଲୋକଙ୍କ ଅମୂଲ୍ୟ ଜୀବନ ରକ୍ଷା କରିହେବ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଆଣ୍ଟି ରାବିଜ ଟିକା ଦିଆଯିବା ନିଶ୍ଚତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ