ପୁରୀ: ଜଗନ୍ନାଥ ପ୍ରେମୀ ସାବଧାନ ! ବିଶ୍ବନିଅନ୍ତାଙ୍କ ନାମରେ ଚାଲିଛି ବଡ ଧରଣର ଠକେଇ। ମହାପ୍ରଭୁଙ୍କ ନିକଟରେ ଭୋଗ ଲଗେଇବାକୁ ଅନଲାଇନ ଆପ ଜାରିଆରେ କରିବାକୁ ପଡୁଛି ବୁକିଂ । ଏଥି ପାଇଁ ଭକ୍ତଙ୍କୁ ଦେବାକୁ ପଡୁଛି ହଜାର ହଜାର ଟଙ୍କା। ଅନଲାଇନରେ ଉତ୍ସବ ନାମକ ଏକ ଆପରେ ଚାଲିଛି ଠକେଇ କାରବାର। ଭକ୍ତ ମାନେ ଶ୍ରୀମନ୍ଦିର ନଆସି ଯେକୌଣସି ସ୍ଥାନରୁ ଥାଇ ମଧ୍ୟ ମହାପ୍ରଭୁଙ୍କୁ ନିଜ ନାଁରେ ଭୋଗ ଚଢ଼େଇ ପାରିବେ ବୋଲି ଆପରେ ପ୍ରଚାର କରାଯାଉଛି । ଏଭଳି ସୁବିଧା ଦେଖାଇ ହଜାର ହଜାର ଭକ୍ତଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରାଯାଉଛି । ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ଏହି ଅନଲାଇନ ଆପ ଜରିଆରେ ଠକେଇ ଚଳାଇଥିବା ଥାନାରେ ଅଭିଯୋଗ କରିଛନ୍ତି ଶ୍ରୀମନ୍ଦିରର ଛାମୁ ଖୁଣ୍ଟିଆ ସେବାୟତ ଶମ୍ଭୁନାଥ।
ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ପୂଜା କରିବା ଓ ଭୋଗ ଲଗେଇବା ପାଇଁ ପୃଥକ ପୃଥକ ରେଟ ଚାର୍ଟ ପ୍ରସ୍ତୁତ କରାଯାଇଛି । ଆପରେ ଦିଆଯାଇଥିବା ବିଜ୍ଞାପନରେ ଉଲ୍ଲେଖ କରାଯାଇଛି ଯେ, ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କୁ ମାସିକିଆ ପୂଜା ପାଇଁ ୮,୧୦୦ ଟଙ୍କା ପୈଠ କରିବାକୁ ହେବ। ଧାର୍ଯ୍ୟ ଟଙ୍କା ଦେଇ ଥରେ ବୁକ କଲେ ପ୍ରତ୍ୟେକ ମାସର ଏକ ସ୍ଵତନ୍ତ୍ର ତିଥିରେ ନାଁ ଏବଂ ଗୋତ୍ର ସହ ମହାପ୍ରଭୁଙ୍କୁ ଭୋଗ ଲଗାଯିବ ବୋଲି ଉଲ୍ଲେଖ କରାଯାଇଛି । ରଥଯାତ୍ରାରେ ସ୍ବତନ୍ତ୍ରଭୋଗ ପାଇଁ ୪, ୫୦୧ ଟଙ୍କା ପୈଠ କରିବାକୁ ପଡିବ। ସମ୍ପୂର୍ଣ୍ଣ ପରିବାର ପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ପୂଜା କରିବାକୁ ହେଲେ୨୪୦୧ ଟଙ୍କା ଓ ଶ୍ରୀମନ୍ଦିରରେ ଧ୍ଵଜା ବାନ୍ଧିବାକୁ ୨୧୫୧ ଟଙ୍କା ପୈଠ କରିବାକୁ ହେବ। ମନ୍ଦିରରେ ନାମ ଓ ଗୋତ୍ର ସଂକଳ୍ପ କରିବା ପାଇଁ ୮୦୧ ଟଙ୍କା ଓ ମଣ୍ଡପଭୋଗ ଦାନ ପାଇଁ ୬୯୦୧ ଟଙ୍କା ଦେବାକୁ ଆପରେ ବିଜ୍ଞାପନ ରହିଛି ।
ପ୍ରତ୍ୟେକ ବୁକିଂରେ ଭକ୍ତଙ୍କ ଘର ଠିକଣାରେ ଶ୍ରୀମନ୍ଦିରର ଶୁଖୁଲା ଭୋଗ ଓ ନିର୍ମାଲ୍ୟ ପଠାଯିବ ବୋଲି ମଧ୍ଯ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କ ପାଇଁ ଆଟିକା ବାନ୍ଧିବାକୁ ୧୧,୫୦୧ଟଙ୍କା ପୈଠ କରିବା ଲାଗି ମଧ୍ୟ କୁହାଯାଇଛି । ହେଲେ ଶ୍ରୀମନ୍ଦିରରେ ଏଭଳି କୌଣସି ବ୍ୟବସ୍ଥା ନାହିଁ । ବର୍ତ୍ତମାନ ସୁଦ୍ଧା ଏହି ଆପ ମାଧ୍ୟମରେ ଅନଲାଇନ ଭୋଗ ଲଗାଇବାକୁ ୩,୭୦୦ ଲୋକ ବୁକିଂ କରିସାରିଥିବା ସୂଚନା ରହିଛି । ଶ୍ରୀମନ୍ଦିରର ଛାମୁ ଖୁଣ୍ଟିଆ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଏନେଇ ଆପତ୍ତି ଉଠାଇବା ସହ ସିଂହଦ୍ଵାର ଥାନାରେ ଅଭିଯୋଗ କରିଛନ୍ତି । ଆପର ମୁଖ୍ୟ ସୌରଜିତ ବାସୁ, ପ୍ରଜତ ସାମନ୍ତ ଏବଂ ଅଙ୍କିତା ଦେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଥାନାରେ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, ପୁରୀ