ପୁରୀ: ମହାପ୍ରଭୁଙ୍କ ଶ୍ରୀମନ୍ଦିରକୁ ଏଣିକି ପ୍ଲାଷ୍ଟିକ ମନା । ଆସନ୍ତା ମାସ 1 ତାରିଖରୁ ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ମନା । ଏହାସହ କାଳିଆ ମନ୍ଦିରରେ ପାନ ଛେପ ପକାଇଲେ ଗଣିବାକୁ ପଡିବ ତଣ୍ଡ । ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।
ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆୟୋଜିତ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି । ନିଷ୍ପତି ଅନୁସାରେ ଶ୍ରୀମନ୍ଦିର ପରିସରରେ ପାନଛେପ ପକାଇଲେ 5 ଶହ ଟଙ୍କା ଫାଇନ ଦେବାକୁ ପଡିବ। ପୂର୍ବରୁ ଶ୍ରୀମନ୍ଦିରରେ ପାନଛେପ ପକାଇବା ନେଇ କଟକଣା ଜାରି କରାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନଥିଲା । ସେବାୟତ ହୁଅନ୍ତୁ ବା ଭକ୍ତ, ଯେ କେହିବି ପାନଛେପ ପକାଇବେ 5ଶହ ଜୋରିମାନା ଲାଗିବ । ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।
ଏତତ ବ୍ୟତୀତ ଚଳିତ ମାସ 8 ତାରିଖରେ ମେଣ୍ଢା କୁଡିଆ ତଥା ଅଗ୍ନି ଉତ୍ସବ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ନୀତି ନିର୍ଘଣ୍ଟ ଚୂଡାନ୍ତ ଅନୁସାରେ ରାତ୍ରୀ 3 ଟା ରେ ଦ୍ବାରାଫିଟା, ପରେ ଭିତର ଶଧୌ , ମଙ୍ଗଳ ଆଳତି , ବିଭିନ୍ନ ନୀତି କାନ୍ତି କରାଯାଇ ସକାଳ 9 ଟା ଭିତରେ ସକାଳ ଧୂପ ସମ୍ପନ୍ନ ହେବ । ସକାଳ 10 ଟା ଭିତରେ ଭୋଗ ମଣ୍ଡପ , 12 ଟା ସୁଦ୍ଧା ମଧ୍ୟାହ୍ନ ଧୂପ , 7 ଟା 15 ସୁଦ୍ଧା ଠାକୁରଙ୍କ ଦୋଳ ବେଦୀ ବିଜେ ସମେତ ବିଭିନ୍ନ ନୀତି କାନ୍ତି ଶେଷ ହେବ । ପରେ ରାତ୍ରି 12 ଟା ରେ ପହୁଡ ପଡିବ ।
ସେହିପରି 9 ତାରିଖରେ ଦୋଳପୂର୍ଣ୍ଣିମା ନୀତି ପାଇଁ ନୀତିକାନ୍ତି ଚୂଡାନ୍ତ ହୋଇଛି। ଦୋଳ ପୂର୍ଣ୍ଣିମା ଦିନ ରାତ୍ରି 3 ଟାରେ ଦ୍ବାର ଫିଟା ସମେତ ବିଭିନ୍ନ ନୀତିକାନ୍ତି ବଢି ସକାଳ 9 ଟା 30 ସୁଦ୍ଧା ମହାପ୍ରଭୁଙ୍କ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। 12 ଟା 30 ସୁଦ୍ଧା ଦୋଳ ବେଦୀ କୁ ବିମାନ ବିଜେ ସମେତ ବିଭିନ୍ନ ନୀତି କାନ୍ତି ସରିବା ପରେ ରାତ୍ରି 8 ଟା 30 ରେ ଶ୍ରୀମନ୍ଦିର କୁ ମହାପ୍ରଭୁ ବିଜେ ଅନୁଷ୍ଠିତ ହେବ।
ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଅନୁସାରେ ଗତ ଦୁଇ ମାସ ହେବ ବିଳମ୍ବରେ ଭୋଗ ମଣ୍ଡପ ହେବାକୁ ନେଇ ସୁଆର ମହା ସୁଆର ନିଯୋଗ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଏହି ସମସ୍ୟା ସମାଧାନ ନେଇ ବିଭିନ୍ନ ନିଯୋଗ ସହିତ ଆଲୋଚନା କରାଯାଇ ସହଲ ଭୋଗ ମଣ୍ଡପ ନେଇ ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ ଜିଲାପାଳ ବଲୱନ୍ତ ସିଂ, ପୁରୀ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ଦାସ, ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସମେତ ବିଭିନ୍ନ ନିଯୋଗର ସଦସ୍ୟ ଯୋଗ ଦେଇଥିଲେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ