ପୁରୀ: ଫୋନି କ୍ଷତିଗ୍ରସ୍ତଙ୍କୁ ସହାୟତାରେ ଅନିୟମିତତା । ବାତ୍ୟା ଫୋନି ଯୋଗୁଁ ପୁରୀ ଜିଲ୍ଲାର ଲକ୍ଷ ଲକ୍ଷ ପରିବାର ବାସ ଗୃହ ହରାଇଛନ୍ତି । ହେଲେ ଏପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀ ଘର ଭଙ୍ଗା ସହାୟତା ପାଇ ନାହାଁନ୍ତି । ଏନେଇ ଖୋଦ ଫୋନି କ୍ଷତିଗ୍ରସ୍ତ ଅଭିଯୋଗ କରିଛନ୍ତି ।
ସୋମବାର ଜିଲ୍ଲାପାଳଙ୍କ ଅଫିସରେ ହଜାର ହଜାର ଲୋକ ଲମ୍ବା ଲାଇନରେ ଠିଆ ହୋଇ ପ୍ରଶାସନ ନିକଟରୁ ଘରଭଙ୍ଗା ସହାୟତା ପାଇଁ ଆବେଦନ ପାଇଁ ଆସିଥିଲେ । ଏହା ସହ ସମସ୍ତେ ଘର ଭଙ୍ଗା ସହାୟତାରେ ବ୍ୟପକ ଅନିୟମିତତା ହୋଇ ଥିବା ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଏହି ଅଭିଯୋଗକୁ ନେଇ ପୁରୀ ଜିଲ୍ଲାପାଳଙ୍କୁ ଭେଟିଛି ବିଜେପି ଟିମ୍ । ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ବରେ ବିଜେପି ଟିମ୍ ପୁରୀ ଜିଲ୍ଲାପାଳଙ୍କୁ ଭେଟିବା ସହ ପ୍ରକୃତ ହିତାଧିକାରୀଙ୍କୁ ଘର ଭଙ୍ଗା ସହାୟତା ଦେବା ପାଇଁ ଦାବିପତ୍ର ଦେଇଛି । ପ୍ରଶାସନ କେବଳ ସରକାରି ଦଳର ସମର୍ଥକଙ୍କୁ ଘର ଭଙ୍ଗା ସହାୟତା ଦେଉଥିବା ବିଜେପି ଅଭିଯୋଗ କରିଛି ।
ଅନ୍ୟପଟେ ପୁରୀ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, 3 ଲକ୍ଷ 50 ହଜାର ପରିବାର ଘର ଭଙ୍ଗା ସହାୟତା ନେଇ ଚିହ୍ନଟ ହୋଇଥିବା କହିଛନ୍ତି । ସେଥି ମଧ୍ୟରୁ 2 ଲକ୍ଷ 78 ହଜାର ପରିବାରକୁ ସହାୟତା ମିଳିଛି । ତେବେ କିଛି ଜାଗାରେ ବ୍ୟାପକ ଅନିୟମିତତା କଥା ଅଭିଯୋଗ ତାଙ୍କ ନଜରକୁ ଆସିଛି । ଆଉ ସେହି ଘଟଣାର ତଦନ୍ତ ଚାଲିଛି । ଦୁର୍ନୀତିରେ ଯିଏ ବି ସାମିଲ ଥିବ ପ୍ରମାଣ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ