ବଲାଙ୍ଗୀର: ଆଉ ରହିବନି ବଲାଙ୍ଗୀରରେ ପାନୀୟଜଳ ସମସ୍ୟା । ସହରରେ ଲାଗି ରହିଥିବା ପିଇବା ପାଣି ସମସ୍ୟା ଏବେ ଖୁବ୍ ଶୀଘ୍ର ଦୂର ହେବାକୁ ଯାଉଛି । କାରଣ ଦୀର୍ଘଦିନ ଧରି ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଭ୍ରାଟ ଓ ଲୋ-ଭୋଲ୍ଟେଜ୍ ସମସ୍ୟା ପାଇଁ ପାଣି ଯୋଗାଣ ବାଧାପ୍ରାପ୍ତ ହୋଇଆସୁଥିଲା ।
ସୂଚନାନୁସାରେ, ବଲାଙ୍ଗୀର ସହରକୁ ପିଇବା ପାଣି ସୋନପୁର ଜିଲ୍ଲା ତରଭା ନିକଟସ୍ଥ ବୁଦେଲ ମୁଣ୍ଡା ତେଲ ନଦୀରୁ ଯୋଗାଣ ହୋଇଥାଏ । ତେବେ ଏହି ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଭ୍ରାଟ ଓ ଲୋ-ଭୋଲ୍ଟେଜ୍ ସମସ୍ୟା ପାଇଁ ପାଣି ଯୋଗାଣ ବାଧାପ୍ରାପ୍ତ ହୋଇ ଆସୁଥିଲା। ନବନିର୍ବାଚିତ ପୌରାଧ୍ୟକ୍ଷା ଓ ଜନସ୍ବାସ୍ଥ୍ୟ ବିଭାଗ ମିଳିତ ଭାବରେ ସମସ୍ୟାର ଅନୁଧ୍ୟାନ କରି ସରକାରଙ୍କୁ ଏହାର ସମାଧାନ ପାଇଁ ନିବେଦନ କରିଥିଲେ । ଏହାସହ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଦୁଇଟି ଜେନେରେଟର ପାଇଁ ଦାବି କରାଯାଇଥିଲା । ତେବେ ସରକାର ଏଥିପ୍ରତି ମଞ୍ଜୁରୀ ଦେଇଛନ୍ତି ।
ଫଳରେ ବୁଦେଲ ମୁଣ୍ଡା ତେଲ ନଦୀ ଠାରେ 750 କେଭି ଓ ପାଣି ବିଶୋଧନ ହେଉଥିବା ଶିବତଳ ପମ୍ପ ହାଉସରେ 1010 କେଭିର ଡିଜେଲ ଜେନେରେଟର ସ୍ଥାପିତ ହେବାକୁ ଯାଉଛି । ଏହା ହେବାପରେ ପାଣିର ଯୋଗାଣ ଅନବରତ ହୋଇପାରିବ ବୋଲି ପୌରଧ୍ୟକ୍ଷା କହିଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ବି ଜଣାଇଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର