ପୁରୀ: ପୁରୀରେ ଘଟିଛି ଦୁଇଟି ବଡ ଧରଣର ଲୁଟ୍। ଦୁଇଟି ଯାକ ଘଟଣା ପୋଲିସର ନାକ ତଳେ ଘଟିଥିଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ ।
ସୂଚନାନୁଯାୟୀ, ପୁରୀ ମଣିକର୍ଣ୍ଣିକା ସାହିର ରଘୁନାଥ ଗୁରୁ ନାମକ ଜଣେ ବ୍ୟକ୍ତି ତାଙ୍କର ସମ୍ପର୍କୀୟଙ୍କ ସହ ଭିଆଇପି ରୋଡ ଷ୍ଟେଟବ୍ୟାଙ୍କରୁ ୨ଲକ୍ଷ ୪ହଜାର ଟଙ୍କା ଥିବା ଏକ ଥଳି ନେଇ ଫେରୁଥିଲେ । ଏହି ସମୟରେ ଭିଆଇପି ରୋଡର ବୁଲେଟ ଶୋରୁମ ନିକଟରେ ହେଲମେଟ ପିନ୍ଧିଥିବା ଦୁଇଜଣ ଦୂର୍ବୁତ୍ତ ପ୍ରଥମେ ସେମାନଙ୍କୁ ଧକ୍କା ଦେଇଥିଲେ।
ଏହାପରେ ପଛରେ ବସିଥିବା ଦୂର୍ବୁତ୍ତ ଟଙ୍କାଥଳିକୁ ଝାମ୍ପିନେଇ ଝାଡେଶ୍ବରୀ ଲେନ୍ ନିକଟ ଷ୍ଟେସନ ରୋଡ ଦେଇ ଫେରାର ହୋଇଯାଇଥିଲେ। ଏନେଇ ସି ବିଚ୍ ଥାନାରେ ଏତଲା ଦିଆଯିବା ପରେ ପୁଲିସ ତନାଘନା ଆରମ୍ଭ କରିଥିଲା। ମାତ୍ର ଲୁଟେରାଙ୍କୁ ଧରିବାରେ ବିଫଳ ହୋଇଥିଲା ପୋଲିସ ।
ସେହିପରି ବାଲେଶ୍ଵରର ଜଣେ ପର୍ଯ୍ୟଟକ ଦେବେନ୍ଦ୍ର ସ୍ବାଇଁ ଶନିବାର ସକାଳେ ପୁରୀ ଆସିଥିବା ବେଳେ ସି ବିଚ୍ ଥାନା ଅଞ୍ଚଳର ବେଳାଭୂମିରେ ବସିଥିଲେ। କିଛି ଯୁବକ ସେଠାରେ ପହଞ୍ଚି ଜୋରଜବରଦସ୍ତ ତାଙ୍କଠାରୁ ମୋବାଇଲ ଛଡାଇ ନେଇଥିଲେ। ମାତ୍ର ଏପର୍ଯ୍ୟନ୍ତ ମୋବାଇଲ ହେଉ କି ଦୁର୍ବୁତ୍ତ କାହାରି ପତ୍ତା ମିଳିନଥିବା ଜଣାପଡିଛି।
ଅନ୍ୟପଟେ ପୁରୀ ସହରରେ ଅପରାଧିଙ୍କ କାର୍ଯ୍ୟକଳାପକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ