ପୁରୀ: ଭକ୍ତ ଡୋରିରେ ବନ୍ଧା ଭାବ ବିନୋଦିଆ ବଡ଼ ଠାକୁର । ସେଇଥିପାଇଁ ତ ଭକ୍ତମାନଙ୍କର ଝଲକ ଟିକେ ପାଇବାକୁ ସ୍ନାନବେଦୀକୁ ଛୁଟି ଆସୁଛନ୍ତି ମହାପ୍ରଭୁ । ବର୍ଷସାରା ଶ୍ରୀମନ୍ଦିର ଗର୍ଭଗୃହରେ ଥାଇ ଲୀଳାଖେଳା ରଚିଥାନ୍ତି ମହାବାହୁ । ହେଲେ ସ୍ନାନପୂର୍ଣ୍ଣିମାରେ ସ୍ନାନବେଦୀକୁ ଆଗମନ କରି ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଦୁର୍ଲଭ ମାନବୀୟ ଲୀଳା ରଚନ୍ତି କଳା ଠାକୁର ।
ଅନେକ ଭକ୍ତ ଶ୍ରୀମନ୍ଦିର ଭିତରେ କିଭଳି ରୀତି ନୀତି ଅନୁଷ୍ଠିତ ହୁଏ ଜାଣିପାରନ୍ତି ନାହିଁ । ଏଣୁ କୁହାଯାଏ ଖାସ ଭକ୍ତଙ୍କ ଲାଗି ମହାପ୍ରଭୁ ସ୍ନାନବେଦୀକୁ ଆସନ୍ତି । କୁହାଯାଏ ଏହି ଦିନ ହିଁ ଶ୍ରୀଜିଉ ଦାରୁବ୍ରହ୍ମ ରୂପ ଧାରଣ କରିଥିଲେ । ତେଣୁ ସ୍ନାନପୂର୍ଣ୍ଣିମାକୁ ଶ୍ରୀଜଗନ୍ନାଥଙ୍କର ଜନ୍ମ ଦିବସ ଭାବେ ମଧ୍ୟ ପାଳନ କରାଯାଏ । ସ୍ନାନପୂର୍ଣ୍ଣିମାକୁ ଛାଡି଼ଦେଲେ ମହାପ୍ରଭୁ ପ୍ରତ୍ୟେହ ଶ୍ରୀମନ୍ଦିରରେ ମନ୍ତ୍ରୋ ଉଚ୍ଚାରଣରେ ସ୍ନାନ କରିଥାନ୍ତି ।
ସ୍ନାନଯାତ୍ରା ଦିନ ଠାକୁର ମାନେ ଶ୍ରୀମନ୍ଦିର ରତ୍ନ ସିଂହାସନରେ କୌଣସି କର୍ମ ନକରି ସିଧା ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥାନ୍ତି । ସ୍ନାନବେଦୀରେ ହିଁ ସମସ୍ତ ରୀତିନୀତି ଅନୁଷ୍ଠିତ ହୁଏ । ପହଣ୍ଡିରେ ସ୍ନାନବେଦୀକୁ ଆସି 108 ଗରା ସୁବାଶିତ ଜଳରେ ସ୍ନାନ କରିଥାନ୍ତି ତିନି ଠାକୁର । କର୍ପୁର, କସ୍ତୁରୀ, ଚୁଆ, ଚନ୍ଦନ ଭଳି ଦ୍ରବ୍ୟ ପକାଯାଇ ପ୍ରଥମେ ଜଳକୁ ଅଧିବାସିତ କରାଯାଏ । ପରେ ଷୋଡ଼ଶ ଉପଚାର ପୂଜା କରାଯାଇ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହା ଲାଗି ହୋଇଥାଏ । ଏହାପରେ ଦେବ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦିଅନ୍ତି ମହାପ୍ରଭୁ ।
ସ୍ନାନପରେ ଜ୍ବରରେ ପିଡ଼ିତ ଶ୍ରୀଜିଉ 15 ଦିନ ଅଣସର ପିଣ୍ଡିରେ ବିତାନ୍ତି । ସେଠାରେ ଦଇତାପତି ଗୁପ୍ତ ସେବା, ଗୁପ୍ତ ଉପଚାର ନୀତି କରିଥାନ୍ତି । ତେଣୁ ସ୍ନାନ ପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ଯାଏଁ 15 ଦିନ ସାଧାରଣ ଦର୍ଶନ ବନ୍ଦରହେ । ଏହି ଅବଧିରେ ବ୍ରହ୍ମଗିରିର ଆରାଧ୍ୟ ଦେବତା ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିଥାନ୍ତି ଭକ୍ତ । କୁହାଯାଏ ଅଣସର ବେଳେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରୀଜଗନ୍ନାଥ ଦର୍ଶନ ଭଳି ସମାନ ପୂଣ୍ୟ ମିଳିଥାଏ ।
ପରେ ନବଯୌବନ ବେଶ ଧାରଣ କରି ଘୋଷଯାତ୍ରାରେ ବାହାରନ୍ତି ଚତୁର୍ଦ୍ଧାମୂରତି । ମହାପ୍ରଭୁଙ୍କ ବାର ମାସର ତେର ଯାତ୍ରା ମଧ୍ୟରେ ଶ୍ରେଷ୍ଠ ହେଉଛି ଏହି ଘୋଷଯାତ୍ରା । ଯାହାକି ସ୍ନାନପୂର୍ଣ୍ଣିମା ଠାରୁ ହିଁ ଆରମ୍ଭ ହୋଇଥାଏ । ସ୍ନାନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରନ୍ତି ବିଶ୍ବନିଅନ୍ତା । ତେଣୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଯେତିକି ପାଖଉଛି ଭକ୍ତଙ୍କ ମନରେ ଉତ୍କଣ୍ଠା ସେତିକି ବଢ଼ିବାରେ ଲାଗିଛି ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ରଙ୍କ ରିପୋର୍ଟ, ଇଟିଭି ଭାରତ