ପୁରୀ: ଦେଶରେ କୋଭିଡ ପୁଣି କାୟା ବିସ୍ତାର କରିବାରେ ଲାଗିଲାଣି । ପୁରୀ ଶ୍ରୀମନ୍ଦିରକୁ ଦେଶର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସୁଥିବା ହେତୁ ପୁରୀରେ କୋଭିଡ ସଂକ୍ରମଣ ବଢିବା ଆଶଙ୍କା କରାଯାଉଛି । ତେବେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଏଣିକି ମାସ୍କ ପିନ୍ଧି ନଆସିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭକ୍ତମାନେ କୋଭିଡ ଗାଇଡ଼ ଲାଇନକୁ ମନ୍ଦିର ଭିତରେ ମାନିବାକୁ ବାଧ୍ୟ ।
ଉଲଙ୍ଘନକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି ପୁରୀ ଏସପି କେ. ବିଶାଳ ସିଂ ସ୍ପଷ୍ଟ କରିଛନ୍ତି । 5ଟି ଟିମ ଏବେ ଶ୍ରୀମନ୍ଦିର ପାଖରେ ମୁତୟନ କରାଯାଇ ମାସ୍କ ଚେକିଂ ଏବଂ କୋଭିଡ ଗାଇଡ଼ ଲାଇନ ନେଇ ସଚେତନ କରାଯାଉଛି । 8 ଶହରୁ ଅଧିକ ଲୋକଙ୍କୁ ଏନେଇ ଜରିମାନା ଆଦାୟ କରାଯାଇଛି । ସେପଟେ ପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ଠାରୁ ପୋଲିସ ଫାଇନ ଆଦାୟ କରିବାକୁ ଚାହେଁ ନାହିଁ। ତେବେ ପୋଲିସକୁ ସହଯୋଗ ନକଲେ ପୋଲିସ ତରଫରୁ ବାଧ୍ୟ ହୋଇ ଜରିମାନା ଆଦାୟ କରାଯିବ । ଏଣୁ, ସମସ୍ତେ କୋଭିଡ ଗାଇଡ଼ ଲାଇନ ମାନିବାକୁ ପୁରୀ ଏସପି କେ. ବିଶାଳ ସିଂ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ