ପୁରୀ : ସ୍ଥାୟୀ ନିଯୁକ୍ତି ଦାବି କଲା ରାଜ୍ୟ ମେଡିକାଲ ଆଉଟସୋର୍ସିଂ କର୍ମଚାରୀ ସଂଘ । ଏନେଇ ଗତକାଲି(ରବିବାର) ମେଡିକାଲ ଆଉଟସୋର୍ସିଂ କର୍ମଚାରୀମାନଙ୍କର ରାଜ୍ୟସ୍ତରୀୟ କନଭେନସନ ସ୍ଥାନୀୟ ବଳଗଣ୍ଡି ସ୍ଥିତ ଜାନକୀ ରେସିଡେନ୍ସି ହଲରେ ଅନୁଷ୍ଠିତ ହୋଇଯାଇଛି । ଉପଦେଷ୍ଟା ଶରତ କୁମାର ରାୟଗୁରୁଙ୍କ ନେତୃତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସାରା ରାଜ୍ୟରୁ ଶତାଧିକ ମେଡିକାଲ ଠିକା ଆଉଟସୋର୍ସିଂ କର୍ମଚାରୀ ଯୋଗ ଦେଇଥିଲେ ।
ତେବେ ଏନେଇ ଉପାଦେଷ୍ଟା ଶରତ କୁମାର ରାୟଗୁରୁ କହିଛନ୍ତି ଯେ, ସ୍ୱାସ୍ଥ୍ୟସେବାରେ କେନ୍ଦ୍ର ସରକାର 2013ରେ ଜିଡ଼ିପିର 2.5%ଖର୍ଚ୍ଚ କରୁଥିବା ବେଳେ ମୋଦି ସରକାର ଏବେ ତାକୁ 2.1%କୁ ଖସାଇ ଆଣିଲେ । ତଦନୁରୂପେ ଓଡ଼ିଶା ସରକାର ମେଡିକାଲରେ ଖାଲି ପଡ଼ିଥିବା ପଦବୀ ପୂରଣ ନକରି ଆଉଟସୋର୍ସିଂ ଠିକା ଭାବେ କର୍ମଚାରୀଙ୍କୁ ନିୟୋଜିତ କରି ଶୋଷଣ କରି ଚାଲିଛନ୍ତି । ସରକାର ବାହାଦୁରୀ ମାରି ଆଉଟସୋର୍ସିଂ ଓ ଠିକା ଭଳି ଘୃଣ୍ୟ ପ୍ରଥା ଉଠିଗଲା ବୋଲି ଘୋଷଣା କରିଥିଲେ । ହେଲେ ବାସ୍ତବରେ ତାହା ନୁହେଁ । ଏବେବି ରାଜ୍ୟର ମେଡ଼ିକାଲରେ ଅସ୍ଥାୟୀ ଆଉଟ୍ସୋର୍ସିଂ କର୍ମଚାରୀ ନିଯୁକ୍ତି ଦିଆଯାଉଛି ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ - ସ୍ଥାୟୀ ନିଯୁକ୍ତି ଦାବି ନେଇ ଲୋୟର ପିଏମଜିରେ ଗର୍ଜିଲେ ଧନ୍ଦାମୂଳକ ପ୍ରଶିକ୍ଷକ ସଂଘ
ତେବେ ସମାନ କାମକୁ ସମାନ ମଜୁରୀ ଭଳି ସୁପ୍ରିମକୋର୍ଟ ଆଦେଶକୁ ଅବମାନନା କରୁଛନ୍ତି ସରକାର । EPF, ESI ସଠିକ ଭାବେ ଦେଉନ ଥିବା ବେଳେ ଏଜେନ୍ସି ନିଯୁକ୍ତି ଉପରେ ଏବେ ବି କଟକଣା ଅଛି । ତେଣୁ ଏହାକୁ ଉଠାଇ ସ୍ଥାୟୀ ନିଯୁକ୍ତି ଦାବି କରିଛି ରାଜ୍ୟ ମେଡିକାଲ ଆଉଟସୋର୍ସିଂ କର୍ମଚାରୀ ସଂଘ । ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନେ ନିଜ ନିଜ ଜିଲ୍ଲାରେ ଥିବା ସମସ୍ୟାକୁ ନେଇ ବୈଠକରେ ଆଲୋଚନା କରିଥିଲେ । ଉପାଦେଷ୍ଟା ଶରତ କୁମାର ରାୟଗୁରୁ, ପ୍ରତାପ ପ୍ରଧାନ ଆବାହକ, ଗୁରୁପ୍ରସାଦ ଶତପଥି, ପ୍ରତାପ ନାଥ ଆଦି ପ୍ରମୁଖଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଠିକା ଆଉଟସୋର୍ସିଂ ଉଚ୍ଛେଦ ଓ ମେଡିକାଲରେ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ନେଇ ଦାବି ସରକାର ପୂରଣ ନକଲେ ଆସନ୍ତା ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବା ନେଇ ଚେତାବନୀ ଦେଇଛି ଆଉଟସୋର୍ସିଂ କର୍ମଚାରୀ ସଂଘ ।
ଇଟିଭି ଭାରତ, ପୁରୀ