ପୁରୀ: କୋଣାର୍କ ଚନ୍ଦ୍ରଭାଗା କୂଳରୁ ଉଦ୍ଧାର ହେଲା ମୃତ ଡଲଫିନ୍ । ଏହି ମୃତ ଡଲଫିନଟି ଲମ୍ବ 5 ଫୁଟ ହୋଇଥିବା ବେଳେ ସମୁଦ୍ର ଭିତରେ ଟ୍ରଲର ମାଡ଼ରେ ଡଲଫିନ୍ର ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି । ସ୍ଥାନୀୟ କିଛି ଲୋକ ଏହାକୁ ଦେଖି ଵନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଏହି ମୃତ ଡଲଫିନକୁ ଉଦ୍ଧାର କରିଛି । ମୃତ୍ୟୁ ପଛରେ ଥିବା ପ୍ରକୃତ କାରଣର ଅନୁସନ୍ଧାନ କରୁଛି ବନ ବିଭାଗ ।
ମୃତ ଡଲଫିନ ଲମ୍ବ 5 ଫୁଟ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଏହାର ଓଜନ ଏକ କ୍ବିଣ୍ଟାଲ ରହିଛି । ସେପଟେ ଚନ୍ଦ୍ରଭାଗାରେ ବିରଳ ଡଲଫିନର ମୃତଦେହ ମିଳିବାକୁ ନେଇ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିଛନ୍ତି । ବିଶେଷ କରି ବେଆଇନ ଟ୍ରଲର୍ ଉପରେ ପୋଲିସ, ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଥିବା ବୁଦ୍ଧିଜୀବୀ ମତ ରଖିଛନ୍ତି । ସମୁଦ୍ର ଭିତରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଟ୍ରଲର ଚଳାଚଳ ନେଇ ନିୟମ ଥିବା ବେଳେ ଏହାକୁ ଗ୍ରହଣ କରିବାକୁ ନାରାଜା ଅନେକ ମତ୍ସ୍ୟଜୀବୀ ।
ଏହା ବି ପଢନ୍ତୁ- ପୁରୀ ବେଳାଭୂମିରେ ହଜାର ହଜାର ମୃତ ଜେଲି ଫିସ, ଭୟରେ ପର୍ଯ୍ୟଟକ
ଫଳରେ ଟ୍ରଲର ଲୁହା ବ୍ଲେଡ୍ରେ କଟିଯାଇ ଡଲଫିନ୍ଙ୍କ ସହ ଅନେକ କଇଁଛ ମୃତ୍ୟୁବରଣ କରୁଛନ୍ତି । ତେବେ ବନ ବିଭାଗ ହେଉକି ସାମୁଦ୍ରିକ ମତ୍ସ୍ୟ ବିଭାଗର ଅଧିକାରୀଙ୍କ ନିଦ ଭାଙ୍ଗୁନି । ଫଳରେ ଅନେକ ନିରୀହ ଜଳଚର ଜୀବ ବେଆଇନ ଟ୍ରଲର ମାଡ଼ରେ ଅକାଳରେ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳୁଛି । ଉଦ୍ଧାର ହୋଇଥିବା ଡଲଫିନ୍ର ମୁହଁରେ ଅନେକ କ୍ଷତ ଲାଗିଛି । ଯାହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଭବିଷ୍ୟତରେ ଏପରି ନିରୀହ ଜୀବନ ଯିବା ପୂର୍ବରୁ ବନ ବିଭାଗ ଉଚିତ ପଦକ୍ଷେପ ଗ୍ରହଣ କରୁ ବୋଲି ସାଧାରଣରେ ଦାବି ହୋଇଛି ।
ସୂଚନା ଥାଉ କି ଗତ ମେ' ମାସରେ ପୁରୀ ସମୁଦ୍ର ବେଳାଭୂମିରେ ମାଛ ମଡକ ଦେଖିବାକୁ ମିଳିଥିଲା । ହଜାର ହଜାର ମୃତ ଜେଲି ଫିସ ଠାବ ହୋଇଥିଲା । ବିଶେଷକରି ଲାଇଟ୍ ହାଉସ୍ ବେଳାଭୂମି ନିକଟରେ ଏହି ମୃତ ଜେଲି ଫିସଗୁଡ଼ିକୁ ଦେଖିବାକୁ ମିଳିଥିଲା । ହେଲେ ଏଠାରେ ଏହି ମାଛ ମଡ଼କର କାରଣ ଭିନ୍ନ ଥିଲା । ବାତ୍ୟା ମୋକା ପ୍ରଭାବରେ ଜେଲି ଫିସ୍ କୂଳକୁ ଭାସି ଆସି ସମୁଦ୍ର କୂଳରେ ମୃତ ଅବସ୍ଥାର ପଡ଼ିରହିଥିବା କୁହାଯାଇଥିଲା । ଜେଲି ଫିସ୍ଗୁଡ଼ିକ ମାରାତ୍ମକ ହୋଇଥିବା ବେଳେ ଏହା ଶରୀର ସଂସ୍ପର୍ଶରେ ଆସିଲେ କୁଣ୍ଡେଇ ହେବା ସହ ଘା ମଧ୍ୟ ହେବାର ନଜିର ରହିଛି । ଏନେଇ ସେତେବେଳେ ପର୍ଯ୍ୟଟକ ଭୟଭୀତ ହୋଇ ପଡିଥିଲେ ।
ଇଟିଭି ଭାରତ, ପୁରୀ