ପୁରୀ: ସହରରେ ଘଟିଛି ଅଭାବନୀୟ ତଥା ହୃଦୟ ବିଦାରକ ଘଟଣା । ପୁରୀ ସମୁଦ୍ରକୂଳ ରାସ୍ତାରେ ଥିବା ଏକ ହୋଟେଲ ନଳାରୁ ଏକ ନବଜାତ ଶିଶୁର ମୃତଦେହକୁ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଛି । ଶିଶୁର ପରିଚୟ ମିଳିପାରିନଥିବା ବେଳେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଆଜି(ରବିବାର) ସକାଳୁ ପୁରୀ ସମୁଦ୍ରକୂଳ ରାସ୍ତାରେ ଥିବା ହୋଟେଲ ସ୍ବପ୍ନାପୁରୀ ପାର୍ଶ୍ବର ଏକ ଡ୍ରେନର ଦୂଷିତ ଜଳରେ ଏକ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ନବଜାତକ ବୟସ ୬ ରୁ ୭ ମାସ ଭିତର ଥିବା ଅନୁମାନ କରାଯାଉଛି l ସ୍ଥାନୀୟ କିଛି ଲୋକଙ୍କ କହିବା ଅନୁସାରେ ଏହି ନବଜାତ ଶିଶୁଟିକୁ ରାତିରେ କେହି ନଳାରେ ପିଙ୍ଗି ଦେଇଛି ଏବଂ ଏହି ଶିଶୁ କିଏ ପିଙ୍ଗିଛି ଏହି ପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ । ତେବେ ଡ୍ରେନ ଭିତରେ ନବଜାତ ଶିଶୁର ମୃତଦେହ ପଡି ରହିବା ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ