ପୁରୀ: କୋରୋନା ମହାମାରୀ କାରଣରୁ ଦେଶ ତଥା ବିଶ୍ବ ଅର୍ଥନୀତି ବିଗିଡିଯାଇଛି । ଏଥିପାଇଁ ବ୍ୟବସାୟୀମାନେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତେଣୁ ବ୍ୟବସାୟୀମାନଙ୍କୁ ଋଣ ଯୋଗାଇଦେବାକୁ ବ୍ୟାଙ୍କଗୁଡିକୁ କେନ୍ଦ୍ରସରକାର ପରାମର୍ଶ ଦେଇଛନ୍ତି । କିନ୍ତୁ ପୁରୀ ଜିଲ୍ଲାରେ ଏହାର କିଛି ବିପରୀତ ଦେଖିବାକୁ ମିଳିଛି । ଜିଲ୍ଲାର ବ୍ୟାଙ୍କଗୁଡିକ ବ୍ୟବସାୟୀମାନଙ୍କୁ ଋଣ ଦେଉନଥିବା ଅଭିଯୋଗ ଆସିଛି ।
ସୂଚନା ଅନୁଯାୟୀ ଜିଲ୍ଲାର ବସ୍ କର୍ମଚାରୀଙ୍କ ଦ୍ବାରା ଗଠିତ ତଥା ସରକାରଙ୍କ ନିକଟରେ ପଞ୍ଜୀକୃତ ଅକ୍ଷୟ ସମୃଦ୍ଧି ବହୁମୁଖୀ ସମବାୟ ସମିତିକୁ ବ୍ୟାଙ୍କ କତ୍ତୃପକ୍ଷ ଋଣଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ଆସିଛି । ଏଥିପାଇଁ ବସ୍ କର୍ମଚାରୀମାନେ ଅର୍ଥ ଅଭାବରୁ ବ୍ୟବସାୟ ଆରମ୍ଭ କରିପାରୁନଥିବା କହିଛନ୍ତି । ସମିତିର ଅଭିଯୋଗ ଆନୁଯାୟୀ ଅନୁଷ୍ଠାନର ପୁରୀ ନବକଳେବର ରୋଡ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ବ୍ୟାଙ୍କ ଖାତା ଅଛି ।
ବ୍ୟାଙ୍କର ନିୟମ ଅନୁଯାୟୀ ମଧ୍ୟ ସମିତିର ସଦସ୍ୟମାନେ ଖାତାରେ ଅର୍ଥଜମା କରୁଛନ୍ତୁ । ଏସବୁ ନିୟମ ଅବଲମ୍ବନ ସତ୍ତ୍ବେ ବ୍ୟାଙ୍କ କତ୍ତୃପକ୍ଷ ଋଣ ମଞ୍ଜୁର କରୁନଥିବା ସମିତିର ସଦସ୍ୟମାନେ କହିଛନ୍ତି । ଏନେଇ ପୁରୀ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସମିତି ଅଭିଯୋଗ କରିଛି । ତେବେ ତୁରନ୍ତ ଜିଲ୍ଲା ପ୍ରଶାସନ ମାମଲାରେ ହସ୍ତକ୍ଷେପ କରି ତୁରନ୍ତ ସମାଧାନ ନ କଲେ ପୁରୀର ଅକ୍ଷୟ ସମୃଦ୍ଧି ବହୁମୁଖୀ ସମବାୟ ସମିତିର ସଦସ୍ୟ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ