ପୁରୀ: ଜାପାନ ଯିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାକୁ ପୁଞ୍ଜି ଆଣିବା ଲାଗି ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନ୍ ଗସ୍ତରେ ଯିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେକ୍ ଇନ୍ ଓଡ଼ିଶା ସଂସ୍କରଣରେ ପୁଞ୍ଜି ନିବେଶ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଜାପାନର ଟପ୍ ବିଜନେସ୍ ଆଇକନ୍ମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଓଡ଼ିଶାକୁ ଅଧିକ ପୁଞ୍ଜି କିଭଳି ଆସିପାରିବ ଏବଂ ଓଡ଼ିଶା ସମୃଦ୍ଧ ହେବା ସହ ଶିକ୍ଷିତ ଯୁବକ ଯୁବତୀ କିପରି କର୍ମନିଯୁକ୍ତି ପାଇବେ ସେନେଇ ମୁଖ୍ୟମନ୍ତ୍ରୀ ଉଦ୍ୟମ କରି ଆସୁଛନ୍ତି । ସେପଟେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଇଣ୍ଡୋ-ଜାପାନ ଫ୍ରେଣ୍ଡ୍ସିପ୍ ସେଣ୍ଟର ।
ଓଡ଼ିଶାର ଶିକ୍ଷିତ ଯୁବକଯୁବତୀ କିଭଳି କର୍ମନିଯୁକ୍ତି ପାଇ ପାରିବେ ସେ ଦିଗରେ ମୁଖ୍ୟମନ୍ତ୍ରୀ ଉଦ୍ୟମ କରି ଆସୁଛନ୍ତି । ଓଡ଼ିଶାର କିପରି ସମୃଦ୍ଧି ହେବ ଏବଂ ଜାପାନର ପୁଞ୍ଜିପତି ମାନେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପରେ କିଭଳି ଅର୍ଥ ବିନିଯୋଗ କରିବେ ସେନେଇ ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଯାଇ ଟପ୍ ବିଜନେସ୍ ଆଇକନମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ନିବେଶ ନେଇ ବିସ୍ତୃତ ଆଲୋଚନା ହେବା ସହ ପୁଞ୍ଜି ନିବେଶ ପାଇଁ ଓଡ଼ିଶାରେ ଥିବା ବିପୁଳ ସମ୍ଭାବନାର ରୋଡ଼ ମ୍ୟାପ୍ ଦେଖାଇବେ ମୁଖ୍ୟମନ୍ତ୍ରୀ । ମେକ୍ ଇନ୍ ଓଡ଼ିଶା ସଂସ୍କରଣରେ ଏହି ପୁଞ୍ଜି ନିବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଏବଂ ଇଣ୍ଡୋ-ଜାପାନ୍ ଫ୍ରେଣ୍ଡ୍ ସିପ୍ ସେଣ୍ଟରର ପ୍ରତିଷ୍ଠାତା ତଥା ଜାପାନ୍ କିୟୋତୋ ସହରର ଟୁରିଜିମ୍ ଆମ୍ବାସେଡର କୁନା ଦାଶ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
ଏଥିସହ ମୁଖ୍ୟମନ୍ତ୍ରୀ ପ୍ରମୁଖ ଶିଳ୍ପପତିମାନଙ୍କୁ ଭେଟି ଓଡିଶାରେ ପୁଞ୍ଜି ନିବେଶ ପାଇଁ ଅନୁରୋଧ କରିବେ । ଓଡ଼ିଶାରେ ବିଶେଷ କରି ଇସ୍ପାତ, ଫୁଡ୍ ପ୍ରୋସେସିଂ, ପ୍ଲାଷ୍ଟିକ, ପେଟ୍ରୋ କେମିକାଲ୍ସ, ଟେକ୍ସଟାଇଲ୍, କେମିକାଲ୍ସ ସହ ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶର ବିପୁଳ ସମ୍ଭାବନାର ଫାଇଦା ନେବାକୁ ଆହ୍ବାନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଜାପାନର ଟୋକିଓ, ଓସାକା ଯାଇ ପୁଞ୍ଜି ନିବେଶ ସମ୍ମିଳନୀରେ ମଧ୍ୟ ଯୋଗ ଦେବେ । ଏହି ଅବସରରେ ଇଣ୍ଡୋ-ଜାପାନ୍ ଫ୍ରେଣ୍ଡ୍ ସିପ୍ ସେଣ୍ଟରର ପ୍ରତିଷ୍ଠାତା ତଥା ପୁରୀର କୁନା ଦାଶ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ବ ହେବ କୁନା ଦାଶ ଜାପାନରେ ରହି ଆସୁଥିବା ବେଳେ ଓଡ଼ିଶା ଏବଂ ଜାପାନ ମଧ୍ୟରେ କିଭଳି ସାଂସ୍କୃତିକ ଭାବ ବିନିମୟ ସହ ବନ୍ଧୁତା ସୁଦୃଢ଼ କରିହେବ ସେ ଦିଗରେ କୁନା ଦାଶ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି । ଜାପାନ ଏକ ଉନ୍ନତ ଦେଶ ହୋଇଥିବା ବେଳେ ଓଡ଼ିଶାରେ ଜାପାନର ଶିଳ୍ପପତି ପୁଞ୍ଜି ନିବେଶ କଲେ ଅଧିକ କର୍ମ ନିଯୁକ୍ତି ସୃଷ୍ଟି ହେବା ସହ ଓଡ଼ିଶାର ସମୃଦ୍ଧି ହେବ ବୋଲି ଆଶା ରଖିଛନ୍ତି କୁନା ଦାଶ ।
ପୂର୍ବରୁ ମେକ୍ ଇନ୍ ଓଡ଼ିଶା ସଂସ୍କରଣରେ ମୁଖ୍ୟମନ୍ତ୍ରୀ ଅନେକ ଦେଶ ଗସ୍ତ କରି ଓଡ଼ିଶାକୁ ପୁଞ୍ଜି ଆଣିବାରେ ବେଶ୍ ସଫଳ ହୋଇଛନ୍ତି । ତେବେ ଜାପାନରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଦ୍ବାରା ଓଡ଼ିଶାକୁ ଅନେକ ଜାପାନୀ ଶିଳ୍ପପତି ଆସିବା ସମ୍ଭାବନା ଥିବାବେଳେ ଓଡ଼ିଶାରେ ଅଧିକ କର୍ମନିଯୁକ୍ତି ସୃଷ୍ଟି ହେବା ସହ ଶିକ୍ଷିତ ଯୁବକଯୁବତୀ ଉପକୃତ ହେବେ ବୋଲି ଆଶା କରାଯାଉଛି ।
ଇଟିଭି ଭାରତ, ପୁରୀ