ପୁରୀ: ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାଣି । ଏନେଇ ଆଉ ୫ ସହରକୁ ସଂପ୍ରସାରିତ ହୋଇଛି ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା । ଯୋଜନାର ୩ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ତେବେ ଏହି ଯୋଜନାରେ ଯୋଡି ହୋଇଛି ପୁରୀ ଜିଲ୍ଲା ନିମାପଡା ଏନଏସି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହାର ଉଦଘାଟନ କରିଛନ୍ତି । ଏନେଇ ନିମାପଡ଼ାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବିଧାୟକ ସମୀର ଦାସଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ପ୍ରଶାସନିକ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ପୂର୍ବରୁ ଓଡ଼ିଶାର ପ୍ରଥମ ସହର ଭାବେ ପୁରୀରୁ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପୁରୀ ସହରବାସୀ ପାଉଥିଲେ । ଏହି ସଫଳ ପ୍ରକଳ୍ପ ଏବେ ସାରା ରାଜ୍ୟରେ ଦୃଷ୍ଟି ଆକର୍ଷଣ କରିଛି । ରାଜ୍ୟର ଅନେକ ସ୍ଥାନରେ ୨୪ ଘଣ୍ଟିଆ ପାନୀୟ ଜଳ ପାଇବା ଏକ ବଡ଼ ସମସ୍ୟା ଥିବାବେଳେ ପୁରୀ ସହରରେ ଏହା କିଭଳି ସଫଳ ହୋଇଛି ତାହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଲଣ୍ଡନରୁ ଆସିଥିବା ଆନ୍ତର୍ଜାତୀୟ ଓ୍ବାଟର ଆସୋସିଏସନର ପ୍ରତିନିଧି ମଣ୍ଡଳୀ । ଏହି ଟିମ୍ ପୁରୀ ସହରରେ ଓ୍ବାଟକୋ ପକ୍ଷରୁ ହୋଇଥିବା ୨୪ ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥାର କାର୍ଯ୍ୟଶୈଳୀ, ଉପଯୋଗ ହୋଇଥିବା ବୈଷୟିକ ଜ୍ଞାନ କୌଶଳ ଦେଖିବା ସହ ସରକାରଙ୍କ ଏଭଳି ଅଭିନବ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି ।
ସେହିପରି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରୋଜେକ୍ଟ ସାରା ବିଶ୍ୱବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଏକ ନୂଆ ରାସ୍ତା ଦେଖାଇବ ବୋଲି ଆନ୍ତର୍ଜାତୀୟ ଓ୍ବାଟର ଆସୋସିଏସନ୍ ନିର୍ଦ୍ଦେଶକ ଡ କଲାନିଥି ଭୈରଭମୂର୍ତି କହିଛନ୍ତି । ପୁରୀ ମଙ୍ଗଳାଘାଟରେ ଥିବା ଜନସ୍ବାସ୍ଥ୍ୟ ବିଭାଗର ଅତ୍ୟାଧୁନିକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଜଳକୁ ବିଶୋଧନ କରାଯାଇ ୨ଲକ୍ଷ ୬୭ ହଜାର ଜନସଂଖ୍ୟା ବିଶିଷ୍ଟ ପୁରୀ ପୌରାଞ୍ଚଳକୁ ଦୈନିକ ୪ ଶହ ଲକ୍ଷ ଲିଟର ପାନୀୟ ଜଳ ଯୋଗାଣ ହେଉଛି । ଦୁଇଟି ବଡ଼ କୃତ୍ରିମ ପୋଖରୀରେ ପାନୀୟ ଜଳକୁ ଗଚ୍ଛିତ କରାଯାଇ ସେହି ଜଳକୁ ବିଶୋଧନ ପରେ ସହରକୁ ୧୯ଟି ଓଭର ହେଡ୍ ଟାଙ୍କି ଦ୍ବାରା ଯୋଗାଣ ହେଉଛି । ତେବେ ଆଗାମୀ ଦିନରେ ସହରରେ ଜଳ ସଙ୍କଟକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଜନସ୍ବାସ୍ଥ୍ୟ ବିଭାଗ ।
ଏହା ମଧ୍ୟ ପଢନ୍ତୁ-୫ ସହର ସମେତ ୧୪୯ ୱାର୍ଡରେ ଆରମ୍ଭ ହେଲା ଡ୍ରିଙ୍କ ଫ୍ରମ ଟ୍ୟାପ, ଉପକୃତ ହେବେ ୧୨ ଲକ୍ଷ ୩୦ ହଜାର
ଆଗାମୀ ୨୦୨୫ ମସିହା ସୁଦ୍ଧା ଆଉ ଏକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଯାଇ ପୁରୀ ସହରକୁ ଆହୁରି ୪୦୦ ଲକ୍ଷ ଲିଟର ପାନୀୟ ଜଳ ଯୋଗାଣ ପାଇଁ ସରକାର ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ବାରା ଆଗାମୀ ୨୦୪୦ ମସିହା ପର୍ଯ୍ୟନ୍ତ ସହରକୁ ପାନୀୟ ଜଳ ଯୋଗାଣରେ କୌଣସି ସଙ୍କଟ ସୃଷ୍ଟି ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଆଶା ରଖାଯାଇଛି । ସେପଟେ ସହରର ବିଭିନ୍ନ ୱାର୍ଡରେ ଜଳସାଥି ଭାବେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ସହ ଅନ୍ତର୍ଜାତୀୟ ଓ୍ବାଟର ଆସୋସିଏସନ୍ ଟିମ୍ ଆଲୋଚନା କରିବା ସହ ସେମାନଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଛନ୍ତି ।
୨୦୨୧ ମସିହାରେ ପୁରୀ ସହରରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଏହି ପ୍ରକଳ୍ପ ସଫଳ ହେବା ପରେ ଓଡ଼ିଶାର ବିଭିନ୍ନ ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।
ଇଟିଭି ଭାରତ, ପୁରୀ