ପୁରୀ: ଦୁଇ ଦିନ ପରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାପ୍ରଭୁଙ୍କ ପ୍ରତୀକ୍ଷାରେ ତିନି ରଥ । ଏଥିପାଇଁ ରଥ ଖଳାରେ ରଥ ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥ ନିର୍ମାଣର ସିଂହଭାଗ କାର୍ଯ୍ୟ ଶେଷ ହୋଇଥିବା ଜଣାଯାଇଛି । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ରଥ କାମ ସାରିବା ପାଇଁ ଦିନରାତି ଏକ କରି କାମ କରୁଛନ୍ତି ମହାରଣା, ରୂପକାର, ଚିତ୍ରକାର ସେବାୟତ ।
ରଥରେ ୧୩ ପରସ୍ତ ପୋଟଳ ଏବଂ ପାରାଭାଡି ଲଗାଯାଇଛି। ତିନି ରଥରେ ଲାଗିବାକୁ ଥିବା ଦ୍ୱାର କାମ ଶେଷ ହୋଇଛି। ମହାରଣା ସେବକ ସିଂହାସନ, ପ୍ରଭା, କଳସ ନିର୍ମାଣ କରୁଛନ୍ତି । ରଥରେ ପଟାବାଡିଆ ଚାଲିଛି । ରୂପକାର ସେବକ ରଥ ରଙ୍ଗ କରୁଛନ୍ତି । ପାର୍ଶ୍ବ ଦେବଦେବୀ, ଚକ, ହଂସପଟା, ଦୁଆଗଡା, କନ୍ୟାପଟା ଏବଂ ସାରଥୀଙ୍କୁ ରଙ୍ଗ କରାଯାଇଛି ।
ନିର୍ଦ୍ଧାରିତ ସମୟରେ ରଥ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବବୋଲି ଭୋଇ ସର୍ଦାର ରବିନ୍ଦ୍ର ଭୋଇ କହିଛନ୍ତି । ସେହିପରି ତିନିରଥ ପାଇଁ ଦରଜୀ ସେବକଙ୍କ ଦ୍ବାରା କନା ସିଲାଇ କରାଯାଉଛି। ରଥ ଅଶ୍ବଙ୍କୁ ପ୍ରସ୍ତୁତ କରାଯାଉଛି। ଜୁଲାଇ ୪ତାରିଖ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ତାହାକୁ ଦୃଷ୍ଟିରେ ରଖି ଚଳଚଞ୍ଚଳ ହୋଇଛି ରଥଖଳା। ମହାରଣା, ଚିତ୍ରକାର, ରୂପକାର, ଦରଜି, ଓଝା ଏବଂ ଭୋଇ ସେବକ ତତ୍ପର ହୋଇଉଠିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ