ପୁରୀ: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପୁରୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି(ବୁଧବାର) ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ଅଫିସ ଆଗରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ କରାଯାଇଛି । ହତ୍ୟାକାଣ୍ଡ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କାର୍ଯ୍ୟ କଳାପ ସନ୍ଦେହଜନକ ଥିବାବେଳେ ପୋଲିସ ଏନେଇ ତଦନ୍ତ କରୁନାହିଁ ବୋଲି ଅଭିଯୋଗ କରିଛି ବିଜେପି ଯୁବ ମୋର୍ଚ୍ଚା।
ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରିଛି । ତେବେ ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ବିଜେପି ଯୁବ ମୋର୍ଚ୍ଚା କର୍ମୀ ପୋଲିସ ବ୍ୟାରିକେଡ ଭାଙ୍ଗିବା ସହ ଅଣ୍ଡା ମାଡ଼ କରିଥିଲେ। କିଛି ସମୟ ପୁରୀ ଏସପିଙ୍କ ଅଫିସ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ତେବେ ପୋଲିସ ପକ୍ଷରୁ ଘଟଣାକୁ ନିୟନ୍ତ୍ରଣ କରାଯାଇଥିଲା। ବିଜେପି ଯୁବ ମୋର୍ଚ୍ଚାର କହିବା କଥା ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଯୁବକଙ୍କ ମଧ୍ୟରେ ପ୍ରଚଣ୍ଡ ଆକ୍ରୋଶ ସୃଷ୍ଟି ହୋଇଛି । ଯାହାକି ଆଜି ପୁରୀରେ ପ୍ରତିଫଳିତ ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ