ପୁରୀ: ଓଡିଶା କ୍ରିକେଟ ସଂଘ(OCA) ନିର୍ବାଚନ ପାଇଁ ପୁରୀରେ ପ୍ରସ୍ତୁତ ହୋଇଛି ରଣନୀତି । ପୁରୀର ଏକ ତାରକା ହୋଟଲେରେ ଓସିଏ ନିର୍ବାଚନ ପରିପ୍ରେକ୍ଷୀରେ ଏକ ରୁଦ୍ଧଦ୍ବାର ବୈଠକ ବସିଛି । ଏହି ବୈଠକରେ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଓସିଏ ସଂପାଦକ ସଂଜୟ ବେହେରା ଓ ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ଯୋଗ ଦେଇଥିଲେ । ଏଥିରେ ଟାଣୁଆ ବିଜେଡି ନେତା ପ୍ରଣବ ପ୍ରକାଶଙ୍କୁ ଓସିଏ ସଭାପତି ପ୍ରାର୍ଥୀ କରିବା ପାଇଁ ନିଷ୍ପତ୍ତି ହୋଇଛି(BJD Leader Pranab Prakash Das In OCA Race) । ସଂପାଦକ ପ୍ରାର୍ଥୀ ହେବେ ସଂଜୟ ବେହେରା । ଉପସଭାପତି ପ୍ରାର୍ଥୀ ଭାବେ ପୂର୍ବତନ ସଭାପତି ପଙ୍କଜ ଲୋଚନ ମହାନ୍ତି ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି ।
ଗତ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ବେଳେ ମଧ୍ୟ ଷ୍ଟାଡିୟମରେ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପୂର୍ବରୁ ବିଭିନ୍ନ ସମୟରେ ହରେକୃଷ୍ଣ ମହତାବଙ୍କ ଠାରୁ ଆରମ୍ଭ କରି ଭୈରବ ମହାନ୍ତି, ବସନ୍ତ ବିଶ୍ବାଳ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅମରନାଥ ପ୍ରଧାନ, ରଂଜୀବ ବିଶ୍ବାଳ ଓ ବ୍ୟବସାୟୀ ପଙ୍କଜ ମହାନ୍ତି ପ୍ରମୁଖ ଓସିଏ ସଭାପତି ଦାୟିତ୍ବ ସମ୍ଭାଳିଛନ୍ତି । ଏବେ ଓସିଏ ସଭାପତି ପଦ ଉପରେ ବିଜେଡିର ନଜର ପଡିଛି ।
ଏହାମଧ୍ୟ ପଢନ୍ତୁ: ରାଜନୀତି ପରେ କ୍ରୀଡାରେ ବବିଙ୍କ ପ୍ରବେଶ, ଓସିଏ ନିର୍ବାଚନ ଭୋଟର ଲିଷ୍ଟରେ ପ୍ରକାଶ ପାଇଲା ନାଁ
ଆସନ୍ତା ଅକ୍ଟୋବର ୨୮ ତାରିଖରେ ହେବ ଓଡିଶା କ୍ରିକେଟ ସଂଘ ନିର୍ବାଚନ(Odisha Cricket Association Election) । ନିର୍ବାଚନରେ ରାଜ୍ୟର ବିଭିନ୍ନ ଜିଲ୍ଲାର କ୍ରୀଡା ସଂଘ ଏବଂ କ୍ଲବକୁ ନେଇ ଥିବା ମୋଟ ୭୩ଟି ସଂଗଠନର ସଦସ୍ୟ ସାମିଲ ହେବେ । ଭୋଟର ତାଲିକାରେ ନୂତନ ଭାବେ ଯାଜପୁର କ୍ଳବ ପକ୍ଷରୁ ପାୱାରଫୁଲ ନେତା ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(Pranab Prakash Das) ଅଛନ୍ତି । ଗତ ଓସିଏ ନିର୍ବାଚନରେ ସଂଜୟ ବେହେରାଙ୍କ ଟିମ୍ ବିଜୟ ଲାଭ କରିଥିଲା । ସଂଜୟ ବେହେରା ହୋଇଥିଲେ ଓସିଏ ସଂପାଦକ । ତେବେ ଏଥର ବିଜେଡିର ଏହି ଟାଣୁଆ ନେତା ସଭାପତି ନିର୍ବାଚନରେ ବାଜି ମାରିବେ ବୋଲି ଚର୍ଚ୍ଚା ଜୋର ଧରିଛି । କହିରଖୁଛୁ କି, ପୂର୍ବରୁ କେବଳ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଏହି ଦାୟିତ୍ବରେ ରହି ପାରିବା ନେଇ ନିୟମ ରହିଥିଲା ।
ଇଟିଭି ଭାରତ, ପୁରୀ