ପୁରୀ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 107ତମ ଜନ୍ମ ଦିବସକୁ ପୁରୀ ବିଜୁ ଜନତା ଦଳ ପକ୍ଷରୁ ପାଳନ କରାଯାଇଛି । ବିଜୁ ଜୟନ୍ତୀକୁ ନେଇ ମହେଶ୍ଵର ମହାନ୍ତି ଓ ବିଜୁ ଯୁବ ଜନତା ଦଳ ଉପ ସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ଦୁଇ ଗୋଷ୍ଠୀ କାର୍ଯ୍ୟକ୍ରମ ଆୟୋଜନ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଏହି କାର୍ଯ୍ୟକ୍ରମକୁ ନେଇ ପ୍ରଥମେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ବିଜେଡିର କର୍ମୀ ଓ ନେତା ଏକାଠି ହୋଇଥିଲେ । ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏଠାରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବିଜୁ ଜୟନ୍ତୀରେ ବିଜେଡିର ଦୁଇ ଗୋଷ୍ଠୀ ଏକ ସମୟରେ ଦୀପ ଦାନ ରାଲି ଆୟୋଜନ କରିବାକୁ ନେଇ ପୁରୀ ରାଜନୀତି ପାଣିପାଗ ବେଶ୍ ସରଗରମ ରହିଥିଲା । ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି ଓ ଯୁବ ନେତା ସୁନିଲ୍ ମହାନ୍ତିଙ୍କ ନେତୃତ୍ବରେ ସାଇକେଲ ରାଲି ଆୟୋଜନ ହୋଇଥିଲା । ଜିଲ୍ଲା ସଭାପତି ମହେଶ୍ବର ମହାନ୍ତି ଓ ଯୁବ ନେତାଙ୍କ ନେତୃତ୍ବରେ ସାଇକେଲ ରାଲି ଆୟୋଜନ ଓ ପରେ ଜଗନ୍ନାଥ ବଲ୍ଲଭରୁ ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ବରେ ଏକ ବିରାଟ ସାଇକେଲ ରାଲି ବାହାରି ପୁରୀ ସହର ପରିକ୍ରମା କରିଥିଲା । ଏନେଇ ଶହଶହ ବିଜେଡି କର୍ମୀ ସାଇକେଲ ରାଲିରେ ସାମିଲ ହୋଇଥିଲେ ।
ଏହି ସାଇକେଲ ଆରମ୍ଭ ହୋଇ ମେଡ଼ିକାଲ ଛକରେ ପହଞ୍ଚିବା ପରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ସାଇକେଲ ରାଲି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟକୁ ଯାଇଥିଲା । ସେଠାରେ ଏକ ସାଧାରଣ ସଭା ଓ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କିଭଳି ଓଡ଼ିଶାର ବିକାଶ ଦିଗରେ କାର୍ଯ୍ୟ କରୁଥିଲେ ଏବଂ ମାତୃଭୂମିର ସେବା କରୁଥିଲେ ତାଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ ବିଜୁ ଯୁବ ଜନତା ଦଳର ଉପ ସଭାପତି ଶୁଭାଶିଷ ଖୁଣ୍ଟିଆ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେଇ ଥିଲେ । ଅନ୍ୟପଟେ ଏହି ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
ତେବେ ଏନେଇ ଅନେକ ଯୁବକଯୁବତୀ ଏହି ରକ୍ତଦାନ ଶିବିରରେ ଯୋଗ ଦେଇ ରକ୍ତଦାନ କରିଥିଲେ । ରକ୍ତଦାନ ମହତ ଦାନ ଅଧିକରୁ ଅଧିକ ଲୋକ ଏଥିରେ ସାମିଲ୍ ହେବାକୁ ବିଜେଡ଼ିର ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ଆହ୍ଵାନ ଦେଇଥିଲେ। ସେପଟେ ବିଜୁ ଜୟନ୍ତୀ ଅବସରରେ ମେଡ଼ିକାଲରେ ରୋଗୀଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବିଜୁ ଜୟନ୍ତୀ କାର୍ଯକ୍ରମରେ ପୁରୀ ବିଜେଡ଼ିର ବରିଷ୍ଠ ନେତା ରାମକୃଷ୍ଣ ଦାସ ମହାପାତ୍ର, ଗୌରହରି ପ୍ରଧାନ, ରବି ପ୍ରତିହାରୀ, କୃଷ୍ଣ ପଣ୍ଡା ପ୍ରମୁଖ ଯୋଗ ଦେଇ କାର୍ଯକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ପୁରୀ ବିଜେଡିର ଦୁଇ ଗୋଷ୍ଠୀ ପକ୍ଷରୁ ବିଜୁ ଜୟନ୍ତୀ ପାଳନକୁ ନେଇ ରାଜନୀତି ମହୋଲ ବେଶ୍ ସରଗରମ ରହିଥିଲା ।
ଇଟିଭି ଭାରତ, ପୁରୀ