ପୁରୀ: ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ସହଜ ହେବ ଜଗା ଦର୍ଶନ । ଶ୍ରୀକ୍ଷେତ୍ର ପୁରୀକୁ ଗଡିବ ବାଙ୍ଗିରିପୋଷି-ଭୁବନେଶ୍ବର-ବାଙ୍ଗିରପୋଷି ଏକ୍ସପ୍ରେସ । ଆସନ୍ତାକାଲି(ସୋମବାର)ଠୁ ଅର୍ଥାତ ମେ 15 ତାରିଖ ଠାରୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ରେଳଯାତ୍ରୀଙ୍କ ପାଇଁ ଏହା ଏକ ଖୁସି ଖବର । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ମଧ୍ୟ ଶ୍ରଦ୍ଧାଳୁଙ୍କ ଯାତ୍ରା ସହଜ କରିବ ବାଙ୍ଗିରିପୋଷି-ଭୁବନେଶ୍ବର ଏକ୍ସପ୍ରେସ ।
12892 ପୁରୀ-ବାଙ୍ଗିରିପୋଷି ଏକ୍ସପ୍ରେସ ପୁରୀ ଠାରୁ ଅପରାହ୍ନ 4ଟା 20 ମିନିଟ ସମୟରେ ଛାଡି ରାତ୍ରି 11ଟା 05 ମିନିଟରେ ବାଙ୍ଗିରିପୋଷି ଠାରେ ପହଞ୍ଚିବ । ସେହିପରି ଭାବରେ ଫେରିବା ମାର୍ଗରେ, 12891 ବାଙ୍ଗିରିପୋଷି ଭୁବନେଶ୍ବର ଏକ୍ସପ୍ରେସ ବାଙ୍ଗିରିପୋଷିରୁ ଭୋର 4ଟା 20 ମିନିଟରେ ଛାଡି ପୁରୀ ଠାରେ ପୂର୍ବାହ୍ନ 11 ଟା 05 ମିନିଟରେ ପହଞ୍ଚିବ। ଭୁବନେଶ୍ବର ଏବଂ ପୁରୀ ମଧ୍ୟରେ ସମ୍ପ୍ରସାରିତ ପଥରେ ଏହି ଟ୍ରେନ ଖୋର୍ଦ୍ଧା ରୋଡ଼, ସାକ୍ଷୀଗୋପାଳ ଷ୍ଟେସନମାନଙ୍କ ଠାରେ ରହଣି କରିବ । ଭୁବନେଶ୍ବର ଏବଂ ବାଙ୍ଗିରିପୋଷି ମଧ୍ୟରେ ଏହି ଟ୍ରେନ୍ ପାଇଁ ସମୟ ଏବଂ ନିର୍ଦ୍ଧାରିତ ଷ୍ଟପେଜ୍ ଉଭୟ ଦିଗରୁ ଅପରିବର୍ତ୍ତିତ ରହିବ । ପୁରୀକୁ ବାଙ୍ଗିରିପୋଷି-ଭୁବନେଶ୍ବର ଗଡିଲେ ରେଳଯାତ୍ରୀଙ୍କ ଯାତାୟତ ସୁବିଧା ସହଜ ହୋଇପାରିବ ।
ସୂଚନା ଅନୁଯାୟୀ, ଆସନ୍ତା 18 ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇପାରେ । ପୁରୀ ଠାରେ ଏହାର ଶୁଭାରମ୍ଭ ହେବାର ସୂଚନା ମିଳିଛି । ଏହାର ଶୁଭାରମ୍ଭ ନେଇ ପ୍ରଧାନମନ୍ତ୍ରୀ ଓଡିଶା ଆସିପାରନ୍ତି ନଚେତ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବାର ଯୋଜନା ରହିଛି । ତେବେ ଏହି ବନ୍ଦେ ଭାରତ ଏକ୍ସପ୍ରେସଟି ହାୱଡାରୁ ଯାତ୍ରା ଆରମ୍ଭ କରିବା ପରେ ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ ଷ୍ଟେସନ ସମେତ ଭୁବନେଶ୍ବର, ଖୋର୍ଦ୍ଧାରେ ରହଣି କରିବ ।
ଏହା ବି ପଢନ୍ତୁ...ପୁରୀରୁ ହାୱଡା ଦୌଡିବ ବନ୍ଦେ ଭାରତ, ଲୋକାର୍ପଣ ପାଇଁ ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
ଏହି ବନ୍ଦେ ଭାରତ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ । ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି । ଯାହା ଦ୍ବାରା ଯାତ୍ରା ଆରାମଦାୟକ ହେବ । ଅତି କମ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ । ପୁରୀରୁ ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ସମୟ ସାରଣୀ ଜାରି କରାଯାଇଛି । ସପ୍ତାହକୁ ତିନି ଥର ଏହି ଟ୍ରେନ ଚଳାଚଳ କରିବାର ସମ୍ଭାବନା ରହିଛି । ଏହି ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରା ସମୟ ପ୍ରାୟ ୫ ଘଣ୍ଟା ୩୦ ମିନିଟ ମଧ୍ୟରେ ପୁରୀରୁ ହାୱଡା ପର୍ଯ୍ୟନ୍ତ ରହିବ । ଏହି ଟ୍ରେନ ଭୁବନେଶ୍ବର, କଟକ ଓ ଖଡ଼ଗପୁର ଷ୍ଟେସନରେ ରହଣି କରିବ । ପ୍ରତି ଷ୍ଟେସନରେ ଏହା ୫ ମିନିଟ ରହିବ କରିବ ବୋଲି ସୂଚନା ମିଳିଛି।
ଇଟିଭି ଭାରତ, ପୁରୀ