ପୁରୀ: ଆଜି ଫାଲଗୁନ କୃଷ୍ଣ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ 'ବନକଲାଗି' ବା ' ଶ୍ରୀମୁଖ ସିଂହାର ' ଅନୁଷ୍ଠିତ ହେବ । ଏଥିପାଇଁ ବୁଧବାର ଅପରାହ୍ନ 4ଟାରୁ ସନ୍ଧ୍ୟା 8ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ।
ଏହା ମହାପ୍ରଭୁଙ୍କ ଏକ ଗୁପ୍ତ ନୀତି ହୋଇଥିବା ହେତୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ । ବନକ ଲାଗି ରୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ୱାରା କରାଯାଇଥାଏ । ନିୟମ ଅନୁଯାୟୀ ବୁଧବାର ଦିନ ବନକ ଲାଗି ହୋଇଥାଏ ।
ଦ୍ବିପ୍ରହର ଧୂପ ସରିବା ପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁର ମାନଙ୍କର ମୁଖସିଂହାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ତଥା ପ୍ରାୟ ତିନିରୁ ଚାରି ଘଣ୍ଟା ସମୟ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।
ଏହି ରଙ୍ଗବିନ୍ୟାସ ବା ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ ଦତ୍ତ ମହାପାତ୍ର କୁହାଯାଏ । ଏମାନଙ୍କ କାମ ହେଲା ରଙ୍ଗ ପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହୋଇଥାଏ। ବଜାରରେ ମିଳୁଥିବା ରଙ୍ଗ ବନକଲାଗିରେ ବ୍ୟବହାର ହୁଏନାହିଁ ।
ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତି ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗ ଦୀର୍ଘସ୍ଥାୟୀ ହୁଏ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ