ପୁରୀ: ଆଜି ଆଷାଢ ଶୁକ୍ଲପକ୍ଷ, ମହାପ୍ରଭୁଙ୍କର ବାହୁଡା ଯାତ୍ରା । ଭାଇଭଉଣୀଙ୍କ ସହ ଜନ୍ମବେଦୀ ଛାଡି ରଥରେ ଚଢି ବଡ ଦେଉଳକୁ ଫେରିବେ ବଡଠାକୁର । ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ ବାହୁଡା ଯାତ୍ରା ଭାବେ ସର୍ବଜନବିଦିତ । ଶରଧାବାଲିରେ ତିନି ରଥ ପ୍ରସ୍ତୁତ । ଅପେକ୍ଷା ନୀଳାଦ୍ରିନାଥଙ୍କ ଆଗମନକୁ । ବଡ ଦେଉଳକୁ ବାହୁଡିବେ ବଡ ଠାକୁର । କୋରୋନା କଟକଣା ଭିତରେ ପ୍ରଥମ ଥର ବିନା ଭକ୍ତରେ ଅନୁଷ୍ଠିତ ହେବ ବାହୁଡା ଯାତ୍ରା ।
ବାହୁଡା ଯାତ୍ରା ନିମନ୍ତେ ସମଗ୍ର ସହରରେ କର୍ଫ୍ୟୁ ଲଗିଛି । ମଙ୍ଗଳବାର ରାତିରୁ ଗୁରୁବାର ରାତି 10ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ପୂର୍ବବଳି ସେବାୟତ ରଥ ଟଣାରେ ନିୟୋଜିତ ରହିବେ । କଡା ସୁରକ୍ଷା ବଳୟରେ ସମଗ୍ର ସହର ରହିବ ।
ବାହୁଡା ଯାତ୍ରା ପାଇଁ ପୂର୍ବରୁ ନୀତି ନିର୍ଘଣ୍ଟ ରହିଛି । ଭୋର ୪ଟାରେ ମହାପ୍ରଭୁଙ୍କ ଆଡପ ମଣ୍ଡପରେ ମଙ୍ଗଳଆଳତୀ, ୪ଟା ୧୫ରେ ମଇଲମ, ୪ଟା ୩୦ ତଡପଲାଗି , ରୋଷହୋମ ୪ ଟା୩୦, ଅବକାଶ ଭୋର ୫ଟା, ସୂର୍ଯ୍ୟ ପୂଜା ୫ଟା ୧୫, ଦ୍ବାରପାଳ ପୂଜା ୫ଟା ୩୦ରେ ସମ୍ପନ୍ନ ହେବା ସହ ସକାଳ ୫ଟା୩୦ ସୁଦ୍ଧା ବଡ ଦିଅଁଙ୍କ ବେଶ ଶେଷ ହୋଇଛି । ସେହିପରି ସକାଳ ୫ ଟା ୪୫ରୁ ୬ ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳଧୂପ କରାଯିବ । ଏଥିରେ ଶେଷ ଥର ପାଇଁ ଗୁଣ୍ଡିଚା ରାଣୀଙ୍କ ହାତରୁ ଖେଚେଡି ଭୋଗ ଖାଇ ନିଜ ଘରକୁ ଫେରିବା ପାଇଁ ଯାତ୍ରା ଆରମ୍ଭ କରିବେ ତିନି ଠାକୁର ।
ଏସମସ୍ତ ରୀତିନୀତି ସମ୍ପନ୍ନ ପରେ ପରେ ସକାଳ ୭ ଟାରୁ ୭ଟା ୩୦ ମଧ୍ୟରେ ସେନାପଟା ଲାଗି ହେବ । ଏହାପରେ ସକାଳ ୭ଟା ୪୫ ରେ ମଙ୍ଗଳାର୍ପଣ । ସକାଳ ୮ ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡା ପହଣ୍ଡି ଆରମ୍ଭ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି । ତତ୍ସହିତ ୧୦ଟା ସୁଦ୍ଧା ବାହୁଡା ପହଣ୍ଡି ସମ୍ପନ୍ନ ହେବ । ସକାଳ ୯ ଟାରୁ ୧୦ ଟା ୩୦ ମଧ୍ୟରେ ବେଶ ଶେଷ ହେବ। ପୂର୍ବାହ୍ନ ୧୦ ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଛେରାପହଁରା ଅନୁଷ୍ଠିତ ହେବ । ଛେରାପହଁରା ପରେ ପରେ ଚାରମାଳ ଫିଟା ଓ ଘୋଡା ଲାଗି ପରେ ରଥ ଟଣା ଆରମ୍ଭ ହେବ । ମଧ୍ୟାହ୍ନ ୧୨ଟାରୁ ରଥଟଣା ଆରମ୍ଭ ହେବ ।
ଶ୍ରୀମନ୍ଦିର ସମ୍ମୁଖରେ ରଥ ଲାଗିବା ପରେ ମହାପ୍ରଭୁ ରଥ ଉପରେ ତିନି ଦିନ ରହିଥାନ୍ତି। ଏହି ସମୟରେ ରଥ ଉପରେ ସୁଖିଲି ଭୋଗ ଲାଗି ହୋଇଥାଏ। ବାହୁଡା ପରଦିନ ମହାପ୍ରଭୁଙ୍କ ସୁନାବେଶ ହୋଇଥାଏ। ବିଭିନ୍ନ ସୁନା ଆଭୂଷଣରେ ମହାପ୍ରଭୁ ସଜାଇ ହୋଇଥାନ୍ତି। ପରଦିନ ପରମ୍ପରା ଅନୁଯାୟୀ ଅଧରପଣା ନୀତି ହୋଇଥାଏ। କୁହାଯାଏ ଏହି ଅଧରପଣା ପାଇବାକୁ ବିଭିନ୍ନ ଅଶିରିରୀ, ପ୍ରେତମାନେ ଆସିଥାନ୍ତି। ଏହାଦ୍ୱାରା ସେମାନଙ୍କ ଆତ୍ମା ମୁକ୍ତି, ମୋକ୍ଷ ପାଇଥାଏ। ଅଧରପଣା ପରଦିନ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ନୀତି ଆରମ୍ଭ ହୋଇଥାଏ। ନିଳାଦ୍ରୀ ବିଜେ ପରଦିନ ପୁଣି ଆନନ୍ଦ ବଜ଼ାର ଅବଡା ମହାପ୍ରସାଦ ଭକ୍ତଙ୍କୁ ମିଳିଥାଏ। ଏହା ନୀଳାଚଳ ଅବଡା କୁହାଯାଏ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ