ପୁରୀ: ଦଳିତଙ୍କୁ ନ୍ୟାୟ ଦାବିରେ ପିପିଲିରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ କୁଶପୁତ୍ତଳିକା ଦାହ କଲେ ଦଳିତ ଆଦିବାସୀ ମାଇନରଟି ମହାସଂଘ। ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଵଡାସ ଗ୍ରାମର ଶାସକ ଦଳର ସରପଞ୍ଚଙ୍କ ସ୍ଵାମୀ ବଳରାମ ପଲେଇଙ୍କ ବିରୋଧରେ ଜଣେ ସମିତ ସଭ୍ୟଙ୍କ ଘର ଭାଙ୍ଗିବା ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।
ଅଭିଯୋଗ ଅନୁସାରେ ଶାସକ ଦଳର ସରପଞ୍ଚଙ୍କ ସ୍ଵାମୀ ବଳରାମ ପଲେଇଙ୍କ ସମେତ ସେହି ଗ୍ରାମର ୫୦ ଜଣ ଲୋକ ମାରଣାସ୍ତ୍ର ନେଇ ୱାର୍ଡ ମେମ୍ବର ଅଞ୍ଜଳି ଭୋଇଙ୍କ ଘର ଦ୍ବାର ଭାଙ୍ଗିବା ସହିତ ଘରର ସମସ୍ତ ଆସବାବପତ୍ର ଭଙ୍ଗା ରୁଜା ଭୋପଡା ଫୋପାଡି କରିଥିଲେ । ଏହାର ପ୍ରତିବାଦ କରିବାରୁ ଭାନୁମତୀ ଭୋଇ, ତାଙ୍କ ବୋହୂ ଅଞ୍ଜଳି ଭୋଇ ଓ ତାଙ୍କ ବଡପୁଅ ପ୍ରଦିପ ଭୋଇଙ୍କୁ ଅମାନୁଷିକ ଭାବରେ ନିସ୍ତୁକ ମାଡ଼ ମାରିବା ସହିତ ତାଙ୍କ ଘର କାମ କରିବାକୁ ଆସିଥିବା ମିସ୍ତ୍ରୀ ସୁକାନ୍ତ ବେହେରାଙ୍କୁ ମାଡ ମରାଯାଇଥିଲା । କଣାସ ଥାନା ଖବର ପାଇ କଣାସ ଥାନା ପହଞ୍ଚି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଣାସ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ସେଠାରେ 2ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଏବେବି ଚିକିତ୍ସାଧୀନ ଅଛନ୍ତି।
ତେବେ ଏଭଳି ବର୍ବର କାଣ୍ଡ ଘଟିଥିବା ବେଳେ ଖବର ପାଇ ବିଭିନ୍ନ ଗଣ ସଙ୍ଗଠନ ଓ ସମାଜସେବୀମାନେ ଘଟଣାସ୍ଥଳରେ ପହଞ୍ଚି ପରିଦର୍ଶନ କରିବାକୁ ଯାଇଥିବା ସମୟରେ ସରପଞ୍ଚଙ୍କ ସମେତ କିଛି ଲୋକେ ସେମାନଙ୍କୁ ଗୋଡାଇ ଗୋଡାଇ ପିଟିଲେ। ତେବେ ଏହି ଦୁଇ ଘଟଣାର କଣାସ ଥାନାରେ ଦୁଇଟି ମାମଲା ରୁଜୁ ହେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ନିଜ ନିର୍ବାଚନ ମଣ୍ଡଳୀରେ ଏତେ ବଡ ଅଘଟଣକୁ 5 ଦିନ ବିତିଯାଇଥିଲେ ମଧ୍ୟ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଏପର୍ଯ୍ୟନ୍ତ ପରିଦର୍ଶନ କରିନଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଦଳିତ ଆଦିବାସୀ ମାଇନରଟି ମହାସଂଘ ଏକ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ କୁଶପୁତ୍ତଳିକା ଦାହ କରିବା ସହ 3 ଟି ଦାବି ମଧ୍ୟ କରିଛି ।
ବିଧାୟକ ବଡାସ ଗ୍ରମରେ ପହଞ୍ଚି ଘଟଣାର ପରିଦର୍ଶନ କରି ପୀଡିତ ପରିବାର ପ୍ରତି ଅନୁକମ୍ପା ଦେଖାନ୍ତୁ । ଭାନୁମତୀ ଭୋଇଙ୍କ ଘର ଭାଙ୍ଗିଥିବା ଅଭିଯୁକ୍ତ ଏବଂ ସ୍ଵେଚ୍ଛାସେବୀଙ୍କ ଉପରକୁ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରାଯାଉ । ତେବେ ୧୫ ଦିନିଆ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଦଳିତ ଆଦିବାସୀ ମାଇନରଟି ମହାସଂଘ ପକ୍ଷରୁ ହଜାର ହଜାର ଦଳିତ ଆଦିବାସୀ କଣାସ ଠାରୁ ଚାଲି ଚାଲି ଡିଜିଙ୍କ ଅଫିସ ପର୍ଯ୍ୟନ୍ତ ଯିବେ ବୋଲି ଚେତାବନୀ ଦେଇଛି ସଂଘ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ