ପୁରୀ: ଦେଶରେ ଅହେତୁର ତୈଳ ଦର ବୃଦ୍ଧି ସମସ୍ତଙ୍କ ଚିନ୍ତାର କାରଣ ହୋଇଛି । ଏହାର ପ୍ରତିବାଦ କରି ବିଭିନ୍ନ ଦଳ ପକ୍ଷରୁ ବିକ୍ଷୋଭ ପ୍ରର୍ଦଶନ କରାଯାଇଛି । ତୈଳ ଦର ବୃଦ୍ଧି ପ୍ରତିବାଦରେ ପୁରୀରେ ଆପ ସାଇକେଲ ରାଲି କରିଛି ।
ଦେଶରେ ପ୍ରତିଦିନ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପାଇବାରେ ଲାଗିଛି । ଆନ୍ତର୍ଜାତୀୟ ବଜାରରେ ତୈଳଦର କମ ଥିଲେ ମଧ୍ୟ ଭାରତରେ ଉଭୟ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଅଧିକ ଟ୍ୟାକ୍ସ ନେଉଥିବାରୁ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିଛି।
ଏହାର ପ୍ରତିବାଦ କରି ଆମ ଆଦମୀ ପାର୍ଟି ପୁରୀ ଶାଖା ପକ୍ଷରୁ ସାଇକେଲ ଚଳାଇ ପ୍ରତିବାଦ କରାଯାଇଛି । ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ଠାରୁ ଆମ ଆଦମୀ ପାର୍ଟି କର୍ମକର୍ତ୍ତା ସାଇକେଲ ଚଳାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ପରେ ଏନେଇ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ