ପୁରୀ: ମାନବିକତାର ପରିଚୟ ଦେଲେ ଟ୍ରଲି ଚାଳକ । ପର୍ସ ହଜାଇଥିବା ଲୋକଙ୍କୁ ଫେରାଇଲେ ତାଙ୍କ ପର୍ସ । ଟ୍ରଲି ଚାଳକ ଜଣଙ୍କ ହେଲେ କୁମ୍ଭାରପଡ଼ା ଅଞ୍ଚଳର ବିଜୟ ମହାନ୍ତି । ସେ ସେହି ଅଞ୍ଚଳରର ପର୍ସ ହଜାଇ ଦେଇଥିବା ସେକ ଶିଖଙ୍କୁ ତାଙ୍କ ପର୍ସ ଫେରାଇ ସଚ୍ଚୋଟତାର ଉଦାହରଣ ସୃଷ୍ଟି କରିଛନ୍ତି । ପର୍ସରେ ଥିବା 3 ହଜାର ଟଙ୍କା ସହ ମୂଲ୍ୟବାନ କାଗଜପତ୍ର ଫେରାଇ ବିଜୟ ଏବେ ପ୍ରଶଂସାର ପାତ୍ର ପାଲଟିଛନ୍ତି । ତାଙ୍କ ସଚ୍ଚୋଟପଣିଆକୁ ସୋସିଆଲ ମିଡିଆଠୁ ଆରମ୍ଭ କରି ସାଧାରଣରେ ବେଶ୍ ଚର୍ଚ୍ଚା କରାଯାଉଛି ।
ମିଳିଥିବା ଖବର ଅନୁଯାୟୀ ବିଜୟ ସବୁଦିନ ଟ୍ରଲି ଚଳାଇ ଯାହା ରୋଜଗାର କରନ୍ତି ସେଥିରେ ଭାରି କଷ୍ଟରେ ପରିବାର ଭରଣପୋଷଣ କରନ୍ତି । ଅଭାବ ଅନଟନରେ ତାଙ୍କର ଦିନ କଟେ। ପର୍ସ ହଜାଇ ଦେଇଥିବା ସେକ ଶିଖ ବଡ଼ଦାଣ୍ଡରେ ଏକ ଫାଷ୍ଟଫୁଡ଼ ଦୋକାନ କରିଛନ୍ତି । ବୁଧବାର ପୂର୍ବାହ୍ନରେ ସେକ ନିଜ ଦୋକାନରେ ଶୋଇ ଥିବାବେଳେ ତାଙ୍କ ପକେଟରୁ ପର୍ସଟି ଖସି ପଡ଼ିଥିଲା । ସେହି ବାଟ ଦେଇ ଯାଉଥିବା ବେଳେ ପର୍ସଟି ପାଇଥିଲେ ବିଜୟ । ପର୍ସରେ 3 ହଜାର ଟଙ୍କା ଓ ଦରକାରୀ କାଗଜପତ୍ର ଥିଲା । ପର୍ସରେ ଥିବା ପରିଚୟପତ୍ର ଦେଖି ବିଜୟ ସେକଙ୍କ ଠିକଣା ପାଇଥିଲେ। ପରେ ବିଜୟ ତାଙ୍କ ଘରେ ପହଞ୍ଚି ସେକଙ୍କୁ ତାଙ୍କ ପର୍ସ ଫେରାଇଛନ୍ତି ।
ତେବେ ଏହି ଘଟଣା ପ୍ରଚାରିତ ହେବା ପରେ ସମସ୍ତେ ବିଜୟଙ୍କ ସାଧୁତା ଓ ସଚ୍ଚୋଟପଣିଆକୁ ଖୁବ୍ ପ୍ରଶଂସା କରୁଛନ୍ତି । ତାଙ୍କର ଏହି ମହତ କାର୍ଯ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବେଶ୍ ଚର୍ଚ୍ଚା ହେଉଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ