ପୁରୀ: ପରିବେଶ ସଫା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଏବେ ଆରମ୍ଭ କରିଛି ଅଭିନବ ଉଦ୍ୟମ । ‘ମୋ ବିଚ’ ଯୋଜନା ମାଧ୍ୟମରେ ପୁରୀ ଜିଲ୍ଲା ପ୍ରଶାସନ ଏବେ ଆରମ୍ଭ କରିଛି ଏକ ବଡ ପଦକ୍ଷେପ ଯାହାର ନେତୃତ୍ବ ନେଉଛନ୍ତି ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂ ।
ଗତ ସାମୁଦ୍ରିକ ଝଡ ଫନି ପରେ ପୁରୀ ସହରରେ ବ୍ୟାପକ କ୍ଷୟକ୍ଷତି ହେବାସହ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଥିଲା । ଆଉ ଶ୍ରୀକ୍ଷେତ୍ର ପୁରୀର ଏପରି ଦୁର୍ଦ୍ଦଶା ଦେଖି ଜିଲ୍ଲାପାଳ ପ୍ରସ୍ତୁତ କଲେ ଯୋଜନା ‘ମୋ ବିଚ’ । ଯାହାର ନେତୃତ୍ବ ସେ ନିଜେ ନେବା ସହ ପୁରୀକୁ ଆବର୍ଜନା ମୁକ୍ତ ପାଇଁ ତିଆରି କଲେ ମାଷ୍ଟର ପ୍ଲାନ ।
ଆଉ ଏହି ଯୋଜନାରେ ସାମିଲ ହୋଇଛନ୍ତି ସୁଦୂର ମହାରାଷ୍ଟ୍ରର ଜଣେ 85ବର୍ଷିଆ ବୃ୍ଦ୍ଧା । ଏହି ବୃ୍ଦ୍ଧା ଜଣଙ୍କ ହେଲେ ସୁଖୁବାଇ ଦେଶମୁଖ । ସେ ପୁରୀ ଆସିଥିବା ବେଳେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସହ ବେଳାଭୂମି ଓ ପୁରୀ ଡାକ୍ତରଖାନାରେ ସଫେଇ କରିଥିଲେ । ଏହାସହ ନିଜେ ଅଳିଆ ଉଠାଇ ଆବର୍ଜନା କୁଣ୍ଡରେ ପକାଇଥିଲେ । ଯାହାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସୁଖୁବାଇ ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ମହାରାଷ୍ଟ୍ର ଏଲୋରା ସ୍ଥିତ ଶ୍ରୀସନ୍ଥ ଜନାର୍ଦ୍ଦନ ସ୍ବାମୀ ସଂସ୍କାର ସଦସ୍ୟ ସୁଖୁବାଇ ଓ ତାଙ୍କ ସହଯୋଗୀମାନେ ଏହି ସଫେଇ କାର୍ଯ୍ୟକ୍ରମ କରିଥିଲେ।
ତେବେ ପରିଣତ ବୟସରେ ବି ସୁଖୁବାଇ ଦେଶମୁଖ ଯେଉଁ କାର୍ଯ୍ୟ କରିଛନ୍ତି ତାହା ଏ ସମାଜ ପାଇଁ ନିଶ୍ଚିତ ଭାବେ ଉଦାହରଣ । ସୁଖୁବାଇ ଓ ତାଙ୍କ ସ୍ବାମୀଙ୍କୁ ପୁରୀ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିବା ସହ ପ୍ରଶଂସା କରିଛନ୍ତି । ତେବେ ଯଦି ସମସ୍ତେ ସୁଖୁବାଇଙ୍କୁ ଅନୁସରଣ କରନ୍ତେ ନିଶ୍ଚିତ ଭାବେ ଆମ ସମାଜ ସଫା ରହିବ ଏଥିରେ ସନ୍ଦେହ ନାହିଁ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ