ପୁରୀ: ଆଜି ତୃତୀୟ ଦିନରେ ପହଞ୍ଚିଛି ଶ୍ରୀମନ୍ଦିର ମେଘନାଦ ପାଚେରୀ ଚାରିପାଖରେ ଉଚ୍ଛେଦ ପ୍ରକ୍ରିୟା । କୋଠାଘର ଗୁଡ଼ିକର ଭଗ୍ନାବଶେଷ ଗୁଡିକୁ ଗାଡି ସାହାଯ୍ୟରେ ସ୍ଥାନାନ୍ତର କରାଯାଉଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ଫୋର୍ସ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ଚାଲିଛି ।
ତେବେ ଚାରି ଦ୍ବାରରେ ଥିବା କିଛି ମନ୍ଦିର ଓ ମଠ ଭଙ୍ଗାଯିବା ନେଇ ନିଷ୍ପତି ହୋଇନାହିଁ। ଶ୍ରୀମନ୍ଦିର ସେବୟତ, ପ୍ରଶାସନ ଓ ବୁଦ୍ଧିଜୀବିଙ୍କ ସହ ଆଲୋଚନା କରାଯାଇ ଏଗୁଡିକୁ ସ୍ପର୍ଶ ମଧ୍ୟ କରାଯାଇନାହିଁ ।
ସିଂହ ଦ୍ବାର ନିକଟରେ ଥିବା ଛାଉଣୀ ମଠ, ରାମ ଦୟା ପରିଷଦ, ବଡ଼ ଛତା ମଠ, ଦକ୍ଷିଣ ଦ୍ବାରରେ ଥିବା ହନୁମାନ ମନ୍ଦିର, ପଶ୍ଚିମ ଦ୍ବାରରେ ଥିବା ଉଗ୍ରତାରା ମନ୍ଦିର ଭଙ୍ଗାଯିବା ନେଇ ନିଷ୍ପତି ହୋଇନାହିଁ । ଯେହେତୁ ଏହି ମନ୍ଦିର ଓ ମଠ ଗୁଡିକ ଶ୍ରୀମନ୍ଦିର ସେବାପୂଜା ସହ ଜଡିତ ଏଥିପାଇଁ ଏହିସବୁକୁ ଉଚ୍ଛେଦ କରାଯାଇ ନାହିଁ ।
ଅନ୍ୟପଟେ ବଡ଼ ଦାଣ୍ଡରେ ଶ୍ରୀମନ୍ଦିର କାର୍ଯ୍ୟଳୟ ନିକଟରୁ ଭକ୍ତଙ୍କ ପାଇଁ ସିଂହଦ୍ବାର ପର୍ଯ୍ୟନ୍ତ ଗାଲିଚା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଛା ଯାଇଛି । ପୂର୍ବରୁ ଅତ୍ୟଧିକ ବଡଦାଣ୍ଡ ତାତି ଯାଉଥିବାରୁ ଭକ୍ତମାନେ ଶ୍ରୀମନ୍ଦିରକୁ ଆସିବାରେ ବହୁ ସମସ୍ୟା ହେଉଥିଲା ।
ସେହିପରି ଭକ୍ତଙ୍କ ସୁବିଧାକୁ ଦେଖି ଶ୍ରୀମନ୍ଦିର ସୂଚନା କେନ୍ଦ୍ରକୁ ଏକ କଣ୍ଟେନର ଭିତରେ ଆରମ୍ଭ କରାଯାଇଛି । ଉଚ୍ଛେଦ ପ୍ରକ୍ରିୟା ସରିବା ପରେ ଶ୍ରୀମନ୍ଦିର ଚାରିପଟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ସହ କିଭଳି ଭକ୍ତମାନେ ଶୃଙ୍ଖଳାରେ ଶ୍ରୀମନ୍ଦିରକୁ ପରିକ୍ରମା କରି ପାରିବେ ଓ ଭକ୍ତଙ୍କ ନିମନ୍ତେ ସମସ୍ତ ସୁବିଧା ଓ ସୁରକ୍ଷା ପାଇଁ ପ୍ରଶାସନ ବ୍ୟବସ୍ଥା କରିବା ନେଇ ନିଷ୍ପତି ହୋଇଥିବା ପୁରୀ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ