ପୁରୀ: କୋଭିଡ-19 ମୁକାବିଲା ନେଇ ପୁରୀ ଜିଲ୍ଲା ପ୍ରଶାସନ ସର୍ବଦା ପ୍ରସ୍ତୁତ ରହିଛି । ପୁରୀ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ସୂଚନାନୁଯାୟୀ ଏପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ 1260 ଟି କୋରୋନା ନେଇ ସ୍ବାବ ଟେଷ୍ଟ ହୋଇଛି । ସେଥିମଧ୍ୟରୁ ପୂର୍ବରୁ କେଵଳ ଜଣେ ପିପିଲି ଅଞ୍ଚଳରେ ପଜିଟିଭ ଚିହ୍ନଟ ହୋଇଥିଲେ । ଯିଏକି ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।
ଆଉ ନୂଆ ପଜିଟିଭ କେସ ଆସିନାହିଁ । ଅନ୍ୟପଟେ ପୁରୀ ଜିଲ୍ଲାକୁ ପଶ୍ଚିମବଙ୍ଗରୁ 128 ଜଣ ବ୍ୟକ୍ତି ଲୁଚି ଆସିଥିବା ଜିଲ୍ଲା ପ୍ରଶାସନ ନିକଟରେ ତଥ୍ୟ ରହିଛି । ସେଥିମଧ୍ୟରୁ 74 ଜଣଙ୍କର ସ୍ବାବ ଟେଷ୍ଟ ହୋଇଛି । ଯେଉଁଥିରେ କୌଣସି କୋରୋନା ପଜିଟିଭ ଆସିନାହିଁ । ଅନ୍ୟ ଲୋକଙ୍କ ଟେଷ୍ଟ ଖୁବ ଶୀଘ୍ର ହେବ । ସେହିପରି ବାହାର ରାଜ୍ୟରୁ ଯଦି କେହି ବ୍ୟକ୍ତି ନିଜ ଅଞ୍ଚଳକୁ ଆସିଛନ୍ତି ସେ ନେଇ ତୁରନ୍ତ ସ୍ଥାନୀୟ ପ୍ରଶାସନ, ସରପଞ୍ଚଙ୍କୁ ଜଣାଇବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ପୁରୀ ଜିଲ୍ଲାପାଳ । ତେବେ ରାଜ୍ୟ ଭିତରେ ବିଭିନ୍ନ ଜିଲ୍ଲାରୁ ଯଦି କେହି କୌଣସି କାର୍ଯ୍ୟରେ ନିଜ ଘରକୁ ଆସିଥାନ୍ତି ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ହଇରାଣ ନକରିବାକୁ ଜିଲ୍ଲାପାଳ କହିଛନ୍ତି ।
କେତେକ କ୍ଷେତ୍ରରେ ଦେଖାଯାଉଛି ଯେ ଅନ୍ୟ ଜିଲ୍ଲାରୁ ଆସିଥିବା ଲୋକଙ୍କୁ କୋରୋନା ଟେଷ୍ଟ ନେଇ ସ୍ଥାନୀୟ ଲୋକ ବାଧ୍ୟ କରୁଛନ୍ତି । ଗାଁରେ ପଶେଇ ଦେଉନାହାଁନ୍ତି । ଯାହାକି ଆଇନକୁ ହାତକୁ ନେବା ଭଳି ବୋଲି ଜିଲ୍ଲାପାଳ କହିଛନ୍ତି । ଯଦି କୌଣସି ଅଭିଯୋଗ ରହିଛି ସ୍ଥାନୀୟ ପ୍ରଶାସନକୁ ଲୋକେ ଜଣାଇବା ଉଚିତ୍ । ତେବେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ନିୟମକୁ ପୁରୀ ଜିଲ୍ଲାବାସୀ ନିଷ୍ଠାର ସହ ପାଳନ କରିଥିବା ହେତୁ ଜିଲ୍ଲାପାଳ ବଲବନ୍ତ ସିଂ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ