ନୂଆପଡା: ନୂଆମାଲପଡା ଗ୍ରାମ ପଞ୍ଚାୟତ ଅଧିନ ଅଖଡଭଟା ଗାଁ ନିକଟସ୍ଥ ଜଙ୍ଗଲ ଉପରେ ପଡିଛି ଗଛ କଟାଳିଙ୍କ ଲୋଲୁପ ଦୃଷ୍ଟି । ବେଆଇନ ଭାବେ ମୂଲ୍ୟବାନ ସରଗି ଗଛକୁ କାଟି ଜଙ୍ଗଲ ସଫା କରୁଛନ୍ତି ସ୍ଥାନୀୟ କାଠ ବେପାରୀ । ତୁରନ୍ତ ବନ ବିଭାଗ ଦୃଷ୍ଟି ଦେଇ ଜଙ୍ଗଲକୁ ସୁରକ୍ଷା ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ସୂଚନାନୁସାରେ ଅଖଡାଭଟା ଗାଁ ଠାରୁ ପୋର୍ଟଇପଡା, ନୂଆମାଲପଡା ପର୍ଯ୍ୟନ୍ତ ରାସ୍ତାର ଦୁଇ କଡରେ ଥିବା ଜଙ୍ଗଲରେ ବ୍ୟାପକ ମାତ୍ରାରେ ମୂଲ୍ୟବାନ ସରଗି ଗଛ ଶୋଭା ପାଉଛି ।
ଅତି ମନୋରମ ପରିବେଶ ସୃଷ୍ଟି ହୋଇଥିବାବେଳେ ମନଲୋଭା ସରଗି ଗଛକୁ କାଟି ନେଉଛନ୍ତି ମାଫିଆ । ଜଙ୍ଗଲ ଉପରେ କାଠ ମାଫିଆଙ୍କ ଯଦି ଏଭଳି ଦୃଷ୍ଟି ପଡେ ତେବେ ଆଗାମୀ ଦିନରେ ଜଙ୍ଗଲ ଶେଷ ହୋଇଯିବ ବୋଲି ଲୋକେ ଅଭିଯୋଗ କରିଛନ୍ତି । ବେଳ ଥାଉଁ ଥାଉଁ ବନ ବିଭାଗ ନିରବ ନ ରହି ତୁରନ୍ତ ତଦନ୍ତ କରି ଅଭିଯୁକ୍ତ କାଠ ମାଫିଆ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ