ନୂଆପଡା: ନୂଆପଡା ଜିଲ୍ଲା କୋମନା ବ୍ଳକ ପେଣ୍ଡରାବନ୍ଧ ଗ୍ରାମପଞ୍ଚାୟତରେ କରୋନା ଭାଇରସ ସଚେତନତା ଶୋଭାଯାତ୍ରା ଗୁରୁବାର ଆରମ୍ଭ ହୋଇଯାଇଛି । ସରପଞ୍ଚ ଅମରେଶ ଚନ୍ଦ୍ର ପଟ୍ଟନାୟକ ସମେତ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ , ଗ୍ରାମପଞ୍ଚାୟତର ସମସ୍ତ ଲୋକ ପ୍ରତିନିଧି, ଅଙ୍ଗନବାଡି କର୍ମୀ, ଆଶାଦିଦି, ସ୍ବାସ୍ଥ୍ୟକର୍ମୀ ସଚେତନତା ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ।
ମହାମାରୀ କରୋନା ଭାଇରସକୁ ଆତଙ୍କିତ ନ ହେବା ପାଇଁ ଛୋଟ ପିଲା ଠାରୁ ଆରମ୍ଭକରି ବୟସ୍କ ମହିଳା ପୁରୁଷ ସମସ୍ତଙ୍କୁ ଘର ଘର ବୁଲି ସରପଞ୍ଚ ବୁଝାଇଛନ୍ତି । କାଶ, ଛିଙ୍କ, ଜ୍ବର ହେଲେ ମାକ୍ସ ବ୍ୟବହାର କରିବା, ଜନଗହଳି ସ୍ଥାନରୁ ନିବୃତ ରହିବା, ବାରମ୍ବାର ହାତ ଧୋଇ ପରିଷ୍କାର ପରିଚ୍ଛନ୍ନତା ରହିବା ପାଇଁ ଲୋକଙ୍କୁ ଗୋଟି ଗୋଟି କରି ବୁଝାଇଛନ୍ତି ।
ବାହାର ରାଜ୍ୟରୁ ନିଜ ଭାଇ ବନ୍ଧୁ ସମ୍ପର୍କୀୟ ଆସିଲେ ତୁରନ୍ତ ପଞ୍ଜିକରଣ ହୋଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ସଚେତନତା ଶୋଭାଯାତ୍ରା ସମୟରେ ଛୋଟ ଛୋଟ ଶିଶୁ ଓ ବୟସ୍କଙ୍କୁ ନିଜେ ସରପଞ୍ଚ ମାକ୍ସ ପିନ୍ଧାଇ ଦେଇ କିଭଳି ବ୍ୟବହାର କରିବେ ବୁଝାଇଛନ୍ତି । ସଚେତନତା ଦ୍ୱାରା ମହାମାରୀ କରୋନାକୁ ଆୟତ୍ତ କରିପାରିବା ବୋଲି ସରପଞ୍ଚ ଅମରେଶ ଚନ୍ଦ୍ର ପଟ୍ଟନାୟକ କହିଛନ୍ତି ।
ଗୁରୁବାର ଗ୍ରାମପଞ୍ଚାୟତର ପେଣ୍ଡରାବନ୍ଧ, ଝିକିଡୁଙ୍ଗରି, ଚାନ୍ଦୋପଳା, ପଲସିପାଣି, ଧର୍ମସାଗର, ହରିପୁର, ଝାଳକୁସୁମ ଓ ବାହାବଲ ଗାଁ ପରିକ୍ରମା କରି ସଚେତନତା ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ପଂଚାୟତରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ମାକ୍ସ, ସାନିଟାଇଜର, ଡେଟଲ ଏବଂ ସଚେତନତା ବେନର ଗ୍ରାମପଞ୍ଚାୟତ ତରଫରୁ ଯୋଗାଇ ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ