ନୂଆପଡା: ଗରିବଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ସେ ବିଜୁ ପକ୍କାଘର ହେଉ ଅବା ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ହେଲେ ଏହି ସବୁ ସୁବିଧାରୁ ବଞ୍ଚିତ ହୋଇଛନ୍ତି ନୂଆପଡା ଜିଲ୍ଲାର କୋମନା ବ୍ଲକ ହରିପୁର ଗ୍ରାମର ସମବାରୁ ପରାଭୂଇଙ୍କ ପରିବାର । ମୁଣ୍ଡ ଉପରେ ଛାତ ଅଛି ନା ପାଖରେ ଅର୍ଥ । ଯେଉଁ ବି ଭଙ୍ଗା ଦଦରା ଘର ଅଛି ତାହା ଥାଇ ମଧ୍ୟ ନଥିଲା ଭଳିଆ । ଘର ଭିତରେ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଉଛି, ଏଥି ସହ ଘରର କାନ୍ଥ କଥା ନକହିବା ଭଲ । ବର୍ଷା ଦିନ ଆସିଲେ ତ କଥା ସରିଲା । ଫଳରେ ଏବେ ତାଙ୍କ ପାଇଁ ଆକାଶ ପାଲଟିଛି ଛାତ, ଆଉ ମାଟି ପାଲଟିଛି ଚଟାଣ । ଘରେ ରୁହନ୍ତି ସମବାରୁ ପରାଭୂଇଙ୍କ ୨ ଝିଅ ପ୍ରମିଳା, ଖୀରମତି, ପୁଅ ଥମିର ଓ ସ୍ତ୍ରୀ ପଦ୍ମନୀ ପରାଭୂଇ । ଏହି ପରିବାରକୁ ଯେମିତି ମାଡି ଆସିଛି ଦୁଃଖର କଳା ବାଦଲ ।
ସମବାରୁ ଶାରୀରିକ ମାନସିକ ଦୁର୍ବଳ ଥିବାବେଳେ, ସ୍ତ୍ରୀ ପଦ୍ମନୀ ପରଘରେ ମୂଲ ଲାଗି ପରିବାର ଚଲାଉଥିଲା । ହେଲେ ପଦ୍ମନୀ ଝୁଣ୍ଟି ପଡିବାରୁ ତାଙ୍କ ଅଣ୍ଟା ଭାଙ୍ଗିଯାଇଛି । ଫଳରେ ସେ ନିଜକାମ ମଧ୍ୟ ନିଜେ କରିବାକୁ ଏବେ ଅକ୍ଷମ ହୋଇପଡିଛନ୍ତି । ଫଳରେ ୨ ନାବାଳିକା ଝିଅ ପ୍ରମିଳା ଏବଂ ଖୀରମତି ଏବେ ଘରର ମୁଖିଆ ସାଜିଛନ୍ତି । ଯେଉଁ ବୟସରେ ପାଠ ପଢିବା କଥା ଆଜି ସେଇ ବୟସରେ ୨ଝିଅ ପରଘରେ ମୂଲ ଲାଗୁଛନ୍ତି । ମୂଲ ଲାଗିଲେ ଘରେ ଚୁଲି ଜଳେ । ନହେଲେ ଉପାସ । ଏପରି ଅବସ୍ଥାରେ ପାଠପଢାକଥା ପଚାରେ ବା କିଏ । ଦୁଃଖରେ ଦିନ କାଟୁଥିବା ଏହି ପରିବାରକୁ ନା ମିଳୁଛି ପକ୍କା ଘର ନା ଚିକିତ୍ସା ପାଇଁ ଅର୍ଥ । ସରକାରଙ୍କ ଯୋଜନା ଏମାନଙ୍କ ପାଇଁ ଯେମିତି ସାତସପନ ।
ଏ ଖବର ନେଇ କୋମନା ବ୍ଲକ ଚେୟାରମ୍ୟାନ ଏବଂ ବିଡ଼ିଓଙ୍କୁ ଜଣାଇବା ପରେ ତଦନ୍ତ କରି ବାସଗୃହ ଏବଂ ଚିକିତ୍ସା ସହାୟତା ଯୋଗାଇ ଦେବେ ବୋଲି ଚେୟାରମ୍ୟାନ ମନୋଜ ମିଶ୍ର ଏବଂ ବିଡ଼ିଓ ସଦାଶିବ ଭାତ୍ରା ପ୍ରତିଶୃତି ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ