ନୂଆପଡା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବେଆଇନ ନିଯୁକ୍ତ ପ୍ରକ୍ରିୟାକୁ ବିରୋଧ କରି ଗଣଧାରଣା ଆଜି ସପ୍ତମ ଦିନରେ ପହଞ୍ଚିଛି । ସିନାପାଳ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେର ଏବଂ ନୂଆପଡା ଗରିବ ସେନା ଅଧ୍ୟକ୍ଷ ରବି ମଙ୍ଗରାଜଙ୍କ ନେତୃତ୍ବରେ ଏହି ଧାରଣା ସପ୍ତମ ଦିନରେ ପହଞ୍ଚିଛି ।
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଚଲନା,ଟିମନପୁର ଏବଂ ବୋଡେନ ବ୍ଲକ ରୋକାଲ ଠାରେ ୱେସ୍କୋ ବିଦ୍ୟୁତ ବିଭାଗ ତରଫରୁ ନୂତନ ସବଷ୍ଟେସନ ସ୍ଥାପିତ ହୋଇଛି। ନୂତନ ସବଷ୍ଟେସନରେ ଆବଶ୍ୟକୀୟ ଟେକ୍ନିସିଆନ, ହେଲ୍ପର ପଦବୀ ପାଇଁ ସ୍ଥାନୀୟ ଯୋଗ୍ୟ ଯୁବକ ମାନେ ଆବେଦନ କରିଛନ୍ତି। ନିଯୁକ୍ତି ପ୍ରକ୍ରିୟାରେ ୱେସ୍କୋ ବିଜୁଳି ବିଭାଗ ଏକ୍ସଜୁକିଟିଭ ଇଂଜିନିୟର ଏବଂ ଘରୋଇ ଟେକ୍ସ ସପୋର୍ଟ କମ୍ପାନୀ ବ୍ୟାପକ ମାତ୍ରାରେ ଅର୍ଥ କାରବାର କରି ବାହାର ଯୁବକଙ୍କୁ ବେଆଇନ ଭାବରେ ନିଯୁକ୍ତି ଦେଇଥିବା ଅଭିଯୋଗ କରିଛନ୍ତି ।
ସ୍ଥାନୀୟ ଯୋଗ୍ୟ ଯୁବକଙ୍କୁ ନିଯୁକ୍ତି ଦେବାପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କାରି ଆସୁଥିଲେ ସୁଦ୍ଧା ୱେସ୍କୋ ବିଜୁଳି ବିଭାଗ ଅଧିକାରୀ କର୍ଣ୍ଣ ଗୋଚର କରୁ ନାହାଁନ୍ତି । ଯାହା ଫଳରେ ସ୍ଥାନୀୟ ଯୋଗ୍ୟ ଯୁବକ ମାନଙ୍କୁ ନିଯୁକ୍ତି ଦାବିରେ ଗଣଧାରଣା ଜାରି ରହିଛି । ଦାବି ପୂରଣ ନହେଲେ ଗଣଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ