ନୂଆପଡା: ନୂଆପଡା ଜିଲ୍ଲା ଅବହେଳିତ ଚିଚେର ଗାଁକୁ ଦାଉ ସାଜିଛି ସରକାରୀ ଯୋଜନା । ଵିଶୁଦ୍ଧ ପାନୀୟ ଜଳ, ଆବାସ ଗୃହ, ରାସ୍ତାଘାଟ ଭଳି ସମସ୍ତ ଜନକଲ୍ୟାଣକାରୀ ଯୋଜନା ଏଠାରେ ବାଟବଣା । ଦୀପ ତଳ ଅନ୍ଧାର ସଦୃଶ୍ୟ ଖଡ଼ିଆଳ ସହରକୁ ଲାଗି ରହିଥିବା ଚିଚେର ଗାଁର ଲୋକମାନଙ୍କୁ ସାଧାରଣ ମୌଳିକ ଅଧିକାର ମିଳୁନଥିବା ଲୋକେ ଅଭିଯୋଗ କରିଛନ୍ତି । ନୂଆପଡା ଜିଲ୍ଲା ସଦର ମହୁକମାଠାରୁ 70 କିଲୋମିଟର ଖଡ଼ିଆଳ ବ୍ଲକ ନେହେନା ଗ୍ରାମପଞ୍ଚାୟତ ସ୍ଥିତ ଅବହେଳିତ ଚିଚେର ଗାଁ । ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର 4 କିଲୋମିଟର ଦୂରରେରେ ଅବସ୍ଥିତ ଚିଚେର ଗାଁ । ଦୀପତଳ ଅନ୍ଧାର ସଦୃଶ୍ୟ ଚିଚେର ଗାଁରେ ଲାଗିରହିଛି ଏକାଧିକ ମୌଳିକ ସମସ୍ୟା । ଏହି ଗାଁରେ ଵିଶୁଦ୍ଧ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି।
ନିକଟସ୍ଥ ସାତପର୍ଲିଆ ପାହାଡ ଝରଣା ନିକଟରେ ଗାତ ଖୋଳି ଦୂଷିତ ପାଣି ସଂଗ୍ରହ କରି ପିଉଛନ୍ତି ଗାଁ ଲୋକେ । ଚିଚେର ଗାଁ ବାଗପଡା ମୁଖ୍ୟ ରାସ୍ତା ଗଳି ରାସ୍ତା ଶୋଚନୀୟ ହୋଇପଡିଛି । କାଦୁଅ ସରସରରେ ଯାତାୟତ କରୁଛନ୍ତି ପିଲା ଠାରୁ ବୁଢ଼ା । ଚିଚେର ଗାଁ ବାଗପଡା ଲୋକଙ୍କ ମାଟି ଛପର ଘର ଭାଙ୍ଗି ଭୁଶୁଡି ଯାଉଛି ହେଲେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ । ଫଳରେ ଚିଚେର ଗାଁ ବାଗପଡାର ଲୋକେ ଏକାଧିକ ସମସ୍ୟାରେ ଜର୍ଜରିତ।
ଖଡ଼ିଆଳ ବ୍ଲକକୁ ଲାଗି ରହିଥିବା ନେହେନା ଗ୍ରାମପଞ୍ଚାୟତ ଚିଚେର ଗାଁର ସମସ୍ୟା ଅନେକ । ହେଲେ ସମାଧାନ ପାଇଁ କୌଣସି ଅଧିକାରୀଙ୍କ ଦୃଷ୍ଟିନାହିଁ । ନେହେନା ଗ୍ରାମପଞ୍ଚାୟତର କାର୍ଯ୍ୟନିବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ଉଭୟ ସରକାରୀ ଅଧିକାରୀ ମହିଳା ଅଟନ୍ତି । ଉଭୟ କର୍ମଚାରୀ କ୍ଷେତ୍ର ପରିଦର୍ଶନ ନକରି ଘରେ ବସି ରହିଥିବା ଯୋଗୁଁ ସରକାରୀ ଯୋଜନା ଫଳପ୍ରଦ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଚିଚେର ଗାଁ ବାଗପଡାକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ ଯୋଗେ ଜଳ ଯୋଗାଣ କାମ ହୋଇଛି । କାମ ନିମ୍ନ ମାନର ହୋଇଥିବା କାରଣରୁ ଦୀର୍ଘ ବର୍ଷରୁ ବାଗପଡାକୁ ଜଳ ଯୋଗାଣ ଫେଲ ମାରିଛି । ଗରିବ ହିତାଧିକାରୀ ମାନଙ୍କୁ ଆବାସ ଗୃହ ଯୋଜନା ସାତ ସପନ ହୋଇଛି, ଫଳରେ ଭାଙ୍ଗି ଯାଇଥିବା ମାଟି ଛପର ଘରେ ଆଶ୍ରୟ ନେଉଥିବା ଦେଖାଦେଇଛି । ସେହିଭଳି ପାନୀୟ ଜଳ ସମସ୍ୟା ଉତ୍କଟ ଗାତ ଖୋଳି ଦୂଷିତ ପାଣି ପିଇ ଲୋକେ କିଡନୀ ରୋଗରେ ପୀଡିତ ହୋଇ ଅକାଳରେ ମୃତ୍ୟୁ ମୁଖରେ ପଡୁଥିବା ଗାଁ ମହିଳା ମାନେ ଅଭିଯୋଗ କରିଛନ୍ତି ।
ଚିଚେର ଗାଁର ସମସ୍ୟା ନେଇ ଆମ ଇଟିଭି ଭାରତ ପ୍ରତିନିଧି ପହଞ୍ଚିଥିଲେ ଖଡ଼ିଆଳ BDOଙ୍କ ପାଖରେ । 2021-22 ଆର୍ଥିକ ବର୍ଷରେ SFC, CFC ଯୋଜନାରୁ ରାସ୍ତା ନିର୍ମାଣ କରିବେ । ଏହାବ୍ୟତୀତ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ନୂତନ ଯୋଜନା କରାଯାଇଛି । ଲୋକଙ୍କ ପାନୀୟ ଜଳ ସମସ୍ୟା ଆଉ ରହିବନାହିଁ ବୋଲି ଖଡ଼ିଆଳ BDO ପ୍ରତିଶୃତି ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ