ନୂଆପଡ଼ା: ଅସହ୍ୟ ହେଉଛି ଦାଦନ ଦୁଃଖ। ପରିବାର ପ୍ରତିପୋଷଣ ପାଇଁ ସେମାନେ ଘର ଛାଡି ଯାଇଥାନ୍ତି ବାହାରକୁ। ଦାଦନ ଖଟି ଦି ପଇସା ରୋଜଗାର କଲେ ପିଲାଛୁଆଙ୍କ ମୁହଁରେ ଟିକେ ହସ ଫୁଟାଇବେ। ହେଲେ ସେଠାରୁ ଫେରିଲେ ଦିବ୍ୟାଙ୍ଗ ହୋଇ । ସେପଟେ ଅର୍ଥ ଅଭାବରୁ ଚିକିତ୍ସା ନ ପାଇ ଅକାଳରେ ଚାଲିଗଲା ଜୀବନ । ଆଉ ରୋଜଗାରିଆ ସ୍ବାମୀଙ୍କ ମୃତ୍ୟୁ ପରେ ବେସାହାରା ହୋଇଗଲା ପରିବାର । ଏଭଳି ଏକ ଦାଦନ ଦୁଃଖର କରୁଣ କାହାଣୀ ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳରୁ ।
ଛତିଶଗଡ଼ ସୀମାନ୍ତକୁ ଲାଗିରହିଛି ଆଦିବାସୀ ବହୁଳ ପିଠାପଡା ଗାଁ । ଗାଁର ଦାଦନ ଶ୍ରମିକ କୁଶଧ୍ଵଜ ମାଝୀ, ସ୍ତ୍ରୀ ହେମଲତା ମାଝୀ 3 ଶିଶୁ ଗୋପାଳ,ଗୁପେଶ ଏବଂ କିଜ୍ଜାଙ୍କୁ ଧରି ଦାଦନ ଖଟିବାକୁ ଯାଇଥିଲେ ଚେନ୍ନାଇ କେଳାବାତାମ ସହରକୁ । ହେଲେ ଏକ ସଡକ ଦୁର୍ଘଟଣାର ଶିକାର ହୋଇ ତାଙ୍କର ଡାହାଣ ଗୋଡ଼ ଭାଙ୍ଗି ଯିବାରୁ ଅଚଳ ହୋଇଗଲେ ଶ୍ରମିକ କୁଶଧ୍ଵଜ ମାଝୀ । ଫଳରେ ଅକ୍ଷମ ହୋଇ ଫେରି ଆସିଲେ ନିଜ ଗାଁକୁ । କିନ୍ତୁ ଗାଁରେ ଅର୍ଥାଭାବରୁ ହୋଇପାରିଲାନି ଚିକିତ୍ସା । ଶେଷରେ 2020 ଡିସେମ୍ବର ମାସରେ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇଗଲେ କୁଶଧ୍ଵଜ । ଆଉ ସେହିଦିନଠୁ ଚାଳ ଛପର ଝାଟି ମାଟି କୁଡ଼ିଆ ଘରେ ଭୋକ ଉପାସରେ ପଡିଛନ୍ତି 3 ନିଷ୍ପାପ ଶିଶୁ ଏବଂ ଅସହାୟ ବିଧବା ସ୍ତ୍ରୀ । ଅର୍ଥାଭାବରୁ ଖାଇବାକୁ ନ ପାଇ ଗାଁଲୋକଙ୍କ ସହାୟତାରେ ବେଳେ ଖାଇଲେ ବେଳେ ଭୋକ ଉପାସରେ ଦିନ କାଟୁଥିବା ଦେଖାଦେଇଛି ।
ଦାଦନ ଶ୍ରମିକ କୁଶଧ୍ଵଜ ମାଝୀଙ୍କ ମୃତ୍ୟୁ ଖବର ଶୁଣିବାପରେ ସ୍ଥାନୀୟ ସରପଞ୍ଚ ବିଦ୍ୟାଧର ବୋଡକିଆ, ମୃତ ଶ୍ରମିକଙ୍କ ଘରକୁଯାଇ ହରିଶ୍ଚନ୍ଦ୍ର ଯୋଜନାରୁ 2ହଜାର ଆର୍ଥିକ ପ୍ରୋତ୍ସାହନ, ବିଧବା ସ୍ତ୍ରୀ ଙ୍କୁ ଶାଢ଼ୀ, ନାବାଳକ ସନ୍ତାନ ମାନଙ୍କ ପାଇଁ କମ୍ବଳ, ଚାଦର ସହ ବସ୍ତାଏ ଚାଉଳ ଦେଇ ଆସିଥିଲେ । କିନ୍ତୁ ଚାଉଳ ଶେଷେବାପରେ ଏବେ ଭୋକ ଉପାସରେ ଦିନକାଟୁଛନ୍ତି ଏହି ଦୁଃଖିହୀନ ପରିବାର । ତେବେ ଏସବୁ ସିନାପାଲି ବିଡ଼ିଓ ଏବଂ ନୂଆପଡା ଜ଼ୀଲ୍ଲାପାଳଙ୍କୁ ଅବଗତ କରିବା ପରେ ବିଧବା ଭତ୍ତା, ଆବାସ ଗୃହ, ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସହାୟତା ଯୋଗାଇ ଦେବେ ବୋଲି ଉଭୟେ ସରପଞ୍ଚ ଏବଂ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ